ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କୁ ବିମାନ ଭିତରେ ଜଳଖିଆ ଦେବାକୁ ମନାକରି ହରଡ଼ଘଣାରେ ଏୟାରଏସିଆ

ନୂଆଦିଲ୍ଲୀ/ ରାଞ୍ଚି (ବିହାର): ଏୟାରଏସିଆ ବିମାନରେ ଯାତ୍ରା କରୁଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କୁ ବିମାନ ଭିତରେ ଜଳଖିଆ ଦେବାକୁ ବିମାନର ପରିଚାଳିକାମାନେ ମନା କରିଦେବା ଘଟଣାକୁ ନେଇ ଏବେ ସୋସିଆଲ ମଡିଆ ଟୁଇଟରରେ ବ୍ୟାପକ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଗତ ୨୦ ତାରିକ ଦିନ ଏୟାରଏସିଆ ବିମାନରେ ନୂଆଦିଲ୍ଲୀରୁ ରାଞ୍ଚି ଯାତ୍ରା କରୁଥିଲେ। ବିମାନ ଭିତରେ ମନ୍ତ୍ରୀ ଶ୍ରୀ ସିହ୍ନା ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଜଳଖିଆ ଦେବା ପାଇଁ ବିମାନ ପରିଚାଳିକାଙ୍କୁ କହିଥିଲେ। ତେବେ, ବିମାନ ପରିଚାଳିକା ଜଣକ ମନ୍ତ୍ରୀଙ୍କୁ ରୋକଠୋକ୍‌ ମନା କରିଦେଲେ ଯେ ମାଗୁଥିବା ଜଳଖିଆ ମିଳିପାରିବ ନାହିଁ। ଯଦି ଜଳଖିଆ ଖାଇବେ, ତେବେ ଏଥିପାଇଁ ଆପଣଙ୍କୁ ଟଙ୍କା ଗଣିବାକୁ ପଡ଼ିବ।


ଏକଥା ଶୁଣି ମନ୍ତ୍ରୀ ମହୋଦୟ ଯେତେବେଳେ ଏହାର କାରଣ ଜାଣିବାକୁ ଚାହିଁଲେ ସେତେବେଳେ ତାଙ୍କୁ କୁହାଗଲା ଯେ ଆପଣ ଆଗରୁ ଏକ ସାଉଥ୍‌ ଇଣ୍ଡିଆନ୍‌ ଲଞ୍ଚ ପାଇଁ ଅର୍ଡର କରି ସାରିଛନ୍ତି। ସେଥିପାଇଁ ବର୍ତ୍ତମାନ ଆଉ ଆପଣଙ୍କ ଅର୍ଡରକୁ ପରିବର୍ତ୍ତନ କରାଯାଇ ପାରି ନାହିଁ କିମ୍ବା ଆପଣ ଚାହୁଁଥିବା ଜଳଖିଆ ଆପଣଙ୍କୁ ଦିଆଯାଇ ପରିବ ନାହିଁ।
ଖୋଦ୍‌ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇ ଏକ ଘରୋଇ ବିମାନ ଭିତରେ ଏପ୍ରକାରର ଅପଦସ୍ଥ ହେବା ଘଟଣା ମନ୍ତ୍ରୀଙ୍କୁ ଖୁବ୍‌ ବାଧିଥିଲା। ଘଟଣା ସଂପର୍କରେ ମନ୍ତ୍ରୀ ଟୁଇଟ୍‌ କରି ଜଣାଇବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା।

ସମ୍ବନ୍ଧିତ ଖବର