ଜଷ୍ଟିସ ଲୋୟା ମୃତ୍ୟୁ ମାମଲାର ଶୁଣାଣି କରିବେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସିବିଆଇ ଜଜ୍‌ ବିଏଚ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ଶୁଣାଣି ନିଜେ ମୁଖ୍ୟ ବିଚାରପତି ଦୀପକ ମିଶ୍ର କରିବେ । ସୋମବାରଦିନ ମୁଖ୍ୟ ବିଚାରପତି ଓ ଆଉ ଦୁଇଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ତିନି ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି ଆରମ୍ଭ ହେବ ।
ପୂର୍ବରୁ ଏହି ମାମଲାଟି ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ର କରୁଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଉଠିଥିଲା । ଏହା ମଧ୍ୟ ସୁପ୍ରିମକୋର୍ଟର କାର୍ଯ୍ୟକାରିତା ବାବଦରେ ସାମ୍ବାଦିକ ସମ୍ମିଳନୀ କରିଥିବା ୪ଜଣ ବରିଷ୍ଠ ବିଚାରପତିଙ୍କ ଅସନ୍ତୋଷର ଆଉ ଏକ କାରଣ ଥିଲା । ମୁଖ୍ୟ ବିଚାରପତି ଜରୁରୀ କେସ୍‌ ଗୁଡିକୁ ନିଜ ପସନ୍ଦର ବେଞ୍ଚକୁ ଦେଉଛନ୍ତି ବୋଲି ଏହି ୪ ଜଣ ବିଦ୍ରୋହୀ ବିଚାରପତି ଜଷ୍ଟିସ୍ ଚେଲମେଶ୍ୱର, ରଞ୍ଜନ ଗୋଗୋଇ, କୁରିୟନ୍ ଜୋସେଫ ଏବଂ ମଦନ ବି ଲୋକୁର ଅଭିଯୋଗ କରିଥିଲେ ।
ଗତ ୨୦୧୪ ଡିସେମ୍ବର ୧ ତାରିଖରେ ସିବିଆଇ ଜଜ୍‌ ଲୋୟା ନିଜର ଜଣେ ସହକର୍ମୀଙ୍କ ଝିଅ ବାହାଘରରେ ଯିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସମୟରେ ସେ ସୋରାବୁଦ୍ଦିନ ମିଥ୍ୟା ଏନକାଉଣ୍ଟର ମାମଲାର ବିଚାର କରୁଥିଲେ । ଏହାର କିଛିଦିନ ପରେ ଏକ ସିବିଆଇ କୋର୍ଟ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଏହି ମାମଲାରୁ ମୁକ୍ତ କରିଥିଲେ । ଏହାକୁ ନେଇ କଂଗ୍ରେସ ତାଙ୍କ ମୃତ୍ୟୁକୁ ସଂଦେହ କରୁଛି ।

ସମ୍ବନ୍ଧିତ ଖବର