କଳ୍ପନା ଜଳ୍ପନାର ଅନ୍ତ ଘଟିଲା: ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ରଞ୍ଜନ ଗୋଗେଇଙ୍କୁ ମନୋନୀତ କଲେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଅକ୍ଟୋବର ୨ରେ ଶପଥ ନେବେ ଜଷ୍ଟିସ୍‌ ରଞ୍ଜନ ଗୋଗେଇ

ନୂଆଦିଲ୍ଲୀ: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆଜି ତାଙ୍କର ଉତ୍ତରାଧିକାରୀ ଭାବେ ସୁପ୍ରିମ୍‌ କୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇଙ୍କୁ ମନୋନୀତ କରିଛନ୍ତି। ଏଥିସହ ଜଷ୍ଟିସ୍‌ ରଞ୍ଜନ ଗୋଗେଇଙ୍କୁ ତାଙ୍କ ସ୍ଥାନରେ ଦେଶର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଆଜି କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ ମଧ୍ୟ କରିଛନ୍ତି।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଦେଶର ପ୍ରଧାନ ବିଚାରପତି ତାଙ୍କ ଦାୟିତ୍ୱରୁ ଅବସର ଗ୍ରହଣ କରିବା ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କୁ ଚୟନ କରିବା ସହ ତାଙ୍କୁ ପ୍ରଧାନ ବିଚାରପତି ରୂପେ ନିଯୁକ୍ତି ପ୍ରଦାନ କରିବା ପାଇଁ ତାଙ୍କ ନାମକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଥାଆନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଆସନ୍ତା ଅକ୍ଟୋବର ୨ ତାରଖରେ ତାଙ୍କ ପଦରୁ ଅବସର ନେବାକୁ ଥିବା ବେଳେ ଆଜି ଆଜି ତାଙ୍କର ଉତ୍ତରାଧିକାରୀ ଭାବେ ସୁପ୍ରିମ୍‌ କୋର୍ଟର ଅନ୍ୟତମ ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇଙ୍କୁ ମନୋନୀତ କରିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ପତ୍ର ଲେଖି ତାଙ୍କ ଉତ୍ତରାଧିକାରୀ କିଏ ହେବେ ବୋଲି ଜାଣିବାକୁ ଚାହିଁଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚଳତି ବର୍ଷ ଆରମ୍ଭରେ ଜଷ୍ଟିସ୍‌ ରଞ୍ଜନ ଗୋଗେଇ ସୁପ୍ରିମ୍‌ କୋର୍ଟର ଅନ୍ୟ ତିନି ବିଚାରପତି ଜଷ୍ଟିସ୍‌ ଜେ ଚେଲମେଶ୍ୱର, ଜଷ୍ଟିସ୍‌ ଏମ୍‌ ବି ଲୋକୁର୍‌ ଓ ଜଷ୍ଟିସ୍‌ ଯୋସେଫ୍‌ କୁରିଅନ୍‌ଙ୍କ ସହ ମିଶି ଏକ ସମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ବିଷୋଦ୍‌ଗାର କରିବା ସହ ତାଙ୍କ କାର୍ଯ୍ୟ ଶୈଳୀ ଓ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହି ଘଟଣା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଅନେକ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ି ଯାଇଥିଲେ। ଏହି ଘଟଣା ପରେ, ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆଜି ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ରଞ୍ଜନ ଗୋଗେଇଙ୍କୁ ମନୋନୀତ କରୁଛନ୍ତି ନା ତାଙ୍କ ସ୍ଥାନରେ ଆଉ କାହାକୁ ମନୋନୀତ କରୁଛନ୍ତି, ସେଥିନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇବା ସହ ଏହା ଉପରେ ପୂରା ଦେଶର ନଜର ରହିଥିଲା। ହେଲେ, ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆଜି ତାଙ୍କର ଉତ୍ତରାଧିକାରୀ ତଥା ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଭାବେ ସୁପ୍ରିମ୍‌ କୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇଙ୍କ ନାମରେ ମୋହର ମାରିଛନ୍ତି।

ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ପରେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ରଞ୍ଜନ ଗୋଗେଇ ଆସନ୍ତା ଅକ୍ଟୋବର ୨ ତାରିଖରେ ଶପଥ ଗ୍ରହଣ କରିବେ ଏବଂ ଏହି ପଦବୀରେ ନଭେମ୍ବର ୧୭, ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଜଷ୍ଟିସ୍‌ ଗୋଗେଇ ଫେବ୍ରୁଆରି ୨୮, ୨୦୦୧ରେ ଗୌହାଟି ହାଇକୋର୍ଟର ବିଚାପତି ରୂପେ ନିଯୁକ୍ତ ହୋଇଥିଲେ। ପରେ ପଦୋନ୍ନତି ପାଇ ଫେବ୍ରୁଆରି ୧୨, ୨୦୧୧ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ। ଏବଂ ଅପ୍ରେଲ ୨୦୧୨ରେ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ମନୋନୀତ ହୋଇଥିଲେ।

ସମ୍ବନ୍ଧିତ ଖବର