ପୁଣି ଜଣେ ନବମ ଶ୍ରେଣୀ ଛାତ୍ରର ମୃତଦେହ ସନ୍ଦେହଜନକ ଭାବେ ସ୍କୁଲ ଶୌଚାଳୟରୁ ମିଳିଲା

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ଥିବା ଏକ ଜଣାଶୁଣା ମିଲିଟାରି ସ୍କୁଲ୍‌ର ଶୌଚାଳୟରୁ ସନ୍ଦେହଜନକ ସ୍ଥିତିରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତଦେହ ଶନିବାର ଉଦ୍ଧାର ହୋଇଛି। ଗୁଜୁରାଟର ବଡୋଦରାରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତଦେହ ସ୍କୁଲ ଶୌଚାଳୟରୁ ମିଳିବା ପରେ ପରେ ପୁଣି ସେଭଳି ଏକ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ସ୍କୁଲ ଶୌଚାଳୟରେ ନବନ ଶ୍ରେଣୀ ପଢ଼ୁଥିବା ଜଣେ ୧୪ବର୍ଷୀୟ ଛାତ୍ରଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ତାଙ୍କର ଜଣେ ସହପାଠୀ ଦେଖିଥିଲେ। ସେ ଏହାପରେ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଥିବା ସରକାରୀ ଡାକ୍ତରଖାନାକୁ ସଙ୍ଗେସଙ୍ଗେ ତାଙ୍କୁ  ନିଆଯାଇଥିଲା। ହେଲେ ଡାକ୍ତରମାନେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି କହିଥିଲେ।

ମୃତ ଛାତ୍ରଙ୍କ ବାପା ଉକ୍ତ ସ୍କୁଲରେ ଜଣେ ହକି ପ୍ରଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ସେ ଅଭିଯୋଗ କରିଛନ୍ତି କି ସ୍କୁଲର କିଛି କର୍ମଚାରୀ ତାଙ୍କ ପୁଅକୁ ବିଭିନ୍ନ ଉପାୟରେ ନିର୍ଯାତନା ଦେଉଥିଲେ। ଏ ନେଇ ଭାଇସ-ପ୍ରିନ୍ସିପାଲ୍‌ଙ୍କୁ ସେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିଲା।

ଏହି ଘଟଣା ପରେ ମୃତ ଛାତ୍ରଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା ସ୍କୁଲ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ପୁଲିସ ସନ୍ଦହ ଜନକ ସ୍ଥିତିରେ ହତ୍ୟା ସମ୍ବଳିତ ଏକ ମାମଲା ଦାୟର କରିଛି। ଘଟଣାରେ ସ୍କୁଲର ଭାଇସ-ପ୍ରିନ୍ସପାଲ ଓ ଅନ୍ୟ ଜଣେ କର୍ମଚାରୀ ପୁଲିସର ସନ୍ଦେହରେ ଅଛନ୍ତି।

ସମ୍ବନ୍ଧିତ ଖବର