ପରମାଣୁ ଅସ୍ତ୍ର ପ୍ରସାରକୁ ଉସୁକାଉଛନ୍ତି ଟ୍ରମ୍ପ୍: କ୍ଲିଣ୍ଟନ
ଓ୍ଵାସିଂଟନ: ଇରାନ୍ ଓ ଉତ୍ତର କୋରିଆ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍୍ଡ ଟ୍ରମ୍ପ୍ଙ୍କ ଆଭିମୁଖ୍ୟକୁ ଅତ୍ୟନ୍ତ ଅପରିଣାମଦର୍ଶୀ ଓ ବିପଜ୍ଜନକ ବୋଲି ଡେମୋକ୍ରାଟିକ୍ ନେତା ହିଲାରି କ୍ଲିଣ୍ଟନ କହିଛନ୍ତି। ଏହି ଦୁଇ ରାଷ୍ଟ୍ରକୁ ନେଇ ଟ୍ରମ୍ପ୍ଙ୍କ ନୀତି ବିଶ୍ୱରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ଦୌଡ଼କୁ ଉସୁକାଉଛି ଏବଂ ଆମେରିକା ହିଁ ଏହାର କୁଫଳ ଭୋଗିବ ବୋଲି ହିଲାରି ଚେତାଇ ଦେଇଛନ୍ତି। ଇରାନ୍ ସହିତ ପରମାଣୁ ଚୁକ୍ତି ବାତିଲ କରିବା ଏକ ବିରାଟ ଭୁଲ୍ ପଦକ୍ଷେପ ଥିଲା ବୋଲି ସେ କହିଛନ୍ତି। ପୂର୍ବରୁ ଆମେରିକା ଅନ୍ୟ ରାଷ୍ଟ୍ରକୁ ଦେଇଥିବା ପ୍ରତିଶ୍ରୁତିକୁ ଟ୍ରମ୍ପ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବାରୁ ଏହା ଆମେରିକାର ପ୍ରଭାବକୁ ବିଶ୍ୱରେ ଗୌଣ ସ୍ଥାନକୁ ନେଇଯିବ ବୋଲି ସେ କହିଛନ୍ତି। ସିଏନ୍ଏନ୍କୁ ଦେଇଥିବା ଏକ ସାକ୍ଷାତକାରରେ ହିଲାରି କହିଛନ୍ତି ଯେ ୨୦୧୬ରେ ଟ୍ରମ୍ପ୍ଙ୍କ ବିରୋଧରେ ସେ ନିର୍ବାଚନ ଲଢ଼ିବା ବେଳେ ଆମେରିକାର ବିଦେଶ ନୀତି ନେଇ ଅନେକ କଥା ସ୍ପଷ୍ଟ କରିଦେଇଥିଲେ। ଟ୍ରମ୍ପ୍ କ୍ଷମତାକୁ ଆସିବା ପରେ ଅତ୍ୟନ୍ତ ବେପରୁଆ ଢଙ୍ଗରେ ବିଦେଶ ନୀତି ପରିଚାଳନା କରୁଛନ୍ତି ଏବଂ ତାଙ୍କୁ ଲୋକେ ଆଉ ଭରସାକୁ ନେଉନାହାନ୍ତି। ପୂର୍ବ ରାଷ୍ଟ୍ରପତିମାନେ ନେଇଥିବା ପଦକ୍ଷେପକୁ ଟ୍ରମ୍ପ୍ ଆଗକୁ ବଢ଼ାଇବା ବଦଳରେ ଏହାକୁ ନଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ଏବଂ ଏହା ଆମେରିକାର ବିଶ୍ୱସନୀୟତା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ହିଲାରି କହିଛନ୍ତି। ଉତ୍ତର କୋରିଆକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍ ଯେଉଁଭଳି ବେପରୁଆ ବୟାନ ଦେଉଛନ୍ତି ତାହା ସଙ୍କଟକୁ ହ୍ରାସ କରିବା ବଦଳରେ ବଢ଼ାଇବାରେ ଲାଗିଛି। ଦକ୍ଷିଣ କୋରିଆ ଏବଂ ଜାପାନ ଆମେରିକାର ଭୁଲ୍ ନୀତି ଯୋଗୁଁ ବିପଦରେ ପଡ଼ିଛନ୍ତି। ପୂର୍ବ ଏସିଆରେ ଅସ୍ତ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି ଏବଂ ଏଥିପାଇଁ ଟ୍ରମ୍ପ୍ଙ୍କୁ ବେପରୁଆ ବିଦେଶ ନୀତି ଦାୟୀ ବୋଲି ହିଲାରି କହିଛନତି।