ପୋଙ୍ଗ୍‌ୟାଙ୍ଗ୍‌ରେ ଐତିହାସିକ ରାଜିନାମା, ମିସାଇଲ୍‌ ଘାଟି ବନ୍ଦ କରିବେ କିମ୍‌

ପୋଙ୍ଗ୍‌ୟାଙ୍ଗ୍‌: ଦୀର୍ଘଦିନର ପ୍ରତୀକ୍ଷା ପରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ସାମରିକ ଶାନ୍ତି ପ୍ରତିଷ୍ଠା ବାବଦରେ ଏକ ଐତିହାସିକ ରାଜିନାମା ସ୍ୱାକ୍ଷର କରିଛନ୍ତି। ଦେଶ ଏହାର ପ୍ରମୁଖ ମିସାଇଲ୍‌ ପରୀକ୍ଷଣ ଓ ଉତ୍‌କ୍ଷେପଣ ଘାଟିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପୋଙ୍ଗ୍‌ୟାଙ୍ଗ୍‌ରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କିମ୍‌ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ଙ୍କ ମଧ୍ୟରେ ଏଭଳି ସହମତି ହୋଇଛି। ଏମିତିି କି ପରମାଣୁ ନିରସ୍ତ୍ରୀକରଣ ଦିଗରେ ମଧ୍ୟ ଉଭୟ ରାଷ୍ଟ୍ର ପଦକ୍ଷେପ ନେବେ ବୋଲି ପରସ୍ପରକୁ ପ୍ରତିଶ୍ରୁତି ଦେଇଛନ୍ତି। କିମ୍‌ ଏହି ବୈଠକକୁ ଐତିହାସିକ ବୋଲି ଦର୍ଶାଇବା ସହିତ ସାମରିକ ଶାନ୍ତି ଫେରାଇ ଆଣିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ଖୁବ୍‌ଶୀଘ୍ର ସେ ସିଓଲ୍‌ (ଦକ୍ଷିଣ କୋରିଆ ରାଜଧାନୀ) ଗସ୍ତ କରି ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ଆଉଏକ ସୋପାନକୁ ନେବା ପାଇଁ ପ୍ରୟାସ କରିବେ ବୋଲି ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ଦୁଇ କୋରିଆ ମଧ୍ୟରେ ହୋଇଥିବା ଏହି ରାଜିନାମାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ୱାଗତ କରିଛନ୍ତି। ଏହି ରାଜିନାମା ଅନୁସାରେ ଉତ୍ତର କୋରିଆ ଅନ୍ତର୍ଜାତୟ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏହାର ଟଙ୍ଗ୍‌ଚାଙ୍ଗ୍‌-ରି ମିସାଇଲ୍‌ ଇଞ୍ଜିନ୍‌ ସାଇଟ୍‌ (ପରୀକ୍ଷଣ ଓ ଉତ୍‌କ୍ଷେପଣ ଘାଟି)କୁ ବନ୍ଦ କରିଦେବ। ଏହାଦ୍ୱାରା ସେଠାରୁ ଆଉ କୌଣସି ରକେଟ୍‌ ବା ଆଣବିକ ପରୀକ୍ଷଣ ଦେଖିବାକୁ ମିଳିବ ନାହିଁ। ସାମରିକ ଶାନ୍ତି ପ୍ରତିଷ୍ଠାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ ବୋଲି ଟ୍ଵିଟ୍‌ କରି ଟ୍ରମ୍ପ୍‌ କହିଛନ୍ତି। ଏହାବ୍ୟତୀତ ୨୦୩୨ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଉଭୟ ଦେଶ ମଧ୍ୟରେ ସହମତି ହୋଇଥିବା ବେଳେ ଏଥିପାଇଁ ଏକାଠି ବିଡ୍‌ରେ ଭାଗନେବେ। ଏହା ନିଶ୍ଚିତପକ୍ଷେ ସ୍ୱାଗତଯୋଗ୍ୟ ବୋଲି ଟ୍ରମ୍ପ୍‌ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜୁନ୍‌ ୧୨ ତାରିଖରେ କିମ୍‌ ଓ ଟ୍ରମ୍ପ୍‌ ସିଙ୍ଗାପୁର ଗସ୍ତ କରି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରମାଣୁ ନିରସ୍ତ୍ରୀକରଣ ବାବଦରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର