ନିକଟତର ହେଉଛନ୍ତି ଦୁଇ କୋରିଆ

ସଫଳ ହେଉଛି କିମ୍‌ ଜଙ୍ଗ୍‌ଙ୍କ କୂଟନୀତି, ଆମେରିକାର ଅଡ଼ୁଆ ବଢ଼ୁଛି

ସିଓଲ: ପରମାଣୁ ଯୁଦ୍ଧ ଆଶଙ୍କା ଭିତରେ ଏବେ ନୂଆ ଚାଲ୍‌ ଖେଳୁଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌। କିମ୍‌ ଜଙ୍ଗ୍‌ ତାଙ୍କ ବିଚକ୍ଷଣ କୂଟନୀତିର ପରିଚୟ ଦେଇ ଦକ୍ଷିଣ କୋରିଆ ସହିତ ସଂପର୍କ ବଢ଼ାଇବା ନିମନ୍ତେ ଚଳାଇଥିବା ପ୍ରୟାସ ସଫଳ ହୋଇଛି । ନିକଟରେ ତାଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ୍‌ଙ୍କ ବହୁ ଚର୍ଚ୍ଚିତ ଦକ୍ଷିଣ କୋରିଆ ଗସ୍ତ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ସୁନ୍ଦରୀ କିମ୍‌ ୟୋ ତାଙ୍କ ଯାଦୁକରୀ ବ୍ୟକ୍ତିତ୍ୱ ବଳରେ ଦକ୍ଷିଣ କୋରିଆ ଜନତାଙ୍କ ମଧ୍ୟରେ ବଳିଷ୍ଠ ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଉତ୍ତର କୋରିଆ ଆସିବା ପାଇଁ କିମ୍‌ ଜଙ୍ଗ୍‌ଙ୍କ ନିମନ୍ତ୍ରଣକୁ କିମ୍‌ ୟୋ ବ୍ୟକ୍ତିଗତ ଭାବେ ପ୍ରଦାନ କରିଛନ୍ତି । ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ପାଇଁ ଉଭୟ ଦେଶର ନେତାମାନେ ଆଶାବାଦୀ ରହିଥିବା ବେଳେ କିମ୍‌ ଜଙ୍ଗ୍‌ଙ୍କ ପଦକ୍ଷେପକୁ ଦକ୍ଷିଣ କୋରିଆର ଜନତା ମଧ୍ୟ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଉଭୟ ରାଷ୍ଟ୍ର ଅଧିକରୁ ଅଧିକ ନିକଟତର ହେବେ ବୋଲି ସ୍ପଷ୍ଟ ସଙ୍କେତ ମିଳିଛି।ଶୀତକାଳୀନ ଅଲିମ୍ପିକ୍ସରେ ଅତିଥି କିମ୍‌ ୟୋଙ୍କ ଏକ ଝଲକ୍‌ ପାଇବା ପାଇଁ ଦକ୍ଷିଣ କୋରିଆ ଯୁବ ଗୋଷ୍ଠୀ ଯେଉଁ ଉତ୍ସାହ ଦେଖାଇଥିଲେ ତାହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। କିମ୍‌ ଜଙ୍ଗ୍‌ ଦକ୍ଷିଣ କୋରିଆର ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସକରାତ୍ମକ ବାର୍ତ୍ତା ଦେବାପାଇଁ କରିଥିବା ଉଦ୍ୟମ ସଫଳ ହୋଇଥିବାରୁ ଏବେ ଉଭୟ ରାଷ୍ଟ୍ରର ପରବର୍ତ୍ତୀ ରଣନୀତି କ’ଣ ହେବ ତାହା ଉପରେ ଆମେରିକା, ଜାପାନ, ଚୀନ୍‌ ଓ ରୁଷ୍‌ର ସତର୍କ ନଜର ରହିଛି ।

ଉତ୍ତର କୋରିଆର ସରକାରଙ୍କୁ ଦେଶବାସୀ ଯେଉଁଭଳି ଭାବେ ଉତ୍ସର୍ଗୀକୃତ ସମର୍ଥନ ଦେଉଛନ୍ତି ସେହି ବଳରେ ଶାସକ କିମ୍‌ ଜଙ୍ଗ୍‌ ଆମେରିକାକୁ ମଧ୍ୟ ଡରାଇବାକୁ ପଛାଉନାହାନ୍ତି। ସରକାର ଓ ଜନତାଙ୍କ ମଧ୍ୟରେ ସଂପର୍କର ସେତୁ ଭାବେ କାମ କରୁଥିବା କିମ୍‌ ଜଙ୍ଗ୍‌ଙ୍କ ଭଉଣୀ କିମ୍‌ ୟୋଙ୍କ ରଣନୀତି ସଫଳ ହେଉଥିବାରୁ ଏବେ ବିଦେଶନୀତିରେ ତାଙ୍କର ଦଖଲ ବଢ଼ିଛି। କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ନୀତି ଏବଂ ଚିନ୍ତାଧାରାକୁ ସକରାତ୍ମକ ଢଙ୍ଗରେ ପରିବେଷଣ କରିବାରେ କିମ୍‌ ୟୋ ତାଙ୍କ ପ୍ରଖର ବୁଦ୍ଧିମତାର ପରିଚୟ ପୂର୍ବରୁ ଦେଇଛନ୍ତି। ତେଣୁ କିମ୍‌ ଜଙ୍ଗ୍‌ ତାଙ୍କୁ ଦକ୍ଷିଣ କୋରିଆକୁ ଦୂତ ଭାବେ ପଠାଇ ସଫଳତା ପାଇଛନ୍ତି ଏବଂ ଏହା ଆମେରିକା ପାଇଁ ବଡ଼ ଝଟ୍‌କା ହୋଇଛି । ଦକ୍ଷିଣ କୋରିଆ ସହିତ ସଂପର୍କ ବଢ଼ାଇ ଆମେରିକାକୁ କୋରିଆ ଉପଦ୍ୱୀପରେ ଦୁର୍ବଳ କରିବା ପାଇଁ କିମ୍‌ଙ୍କ ରଣନୀତି ଏବେ କାମ ଦେଉଥିବାରୁ ଜାପାନ ମଧ୍ୟ ଚିନ୍ତିତ ରହିଛି । ପୋଙ୍ଗ୍‌ୟାଙ୍ଗର ଚିୟରଲିଡର୍ସମାନେ ଦକ୍ଷିଣ କୋରିଆର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିବା ବେଳେ ଉଭୟ ରାଷ୍ଟ୍ର ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଏବଂ ଅନେକ ମାତ୍ରାରେ ଉଭେଇ ଯାଇଛି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେ ଇନ୍‌ ଆଞ୍ଚଳିକ ସ୍ଥିରତା ପାଇଁ ଆମେରିକାର ଚାପ୍‌ ସତ୍ତ୍ୱେ ଉତ୍ତର କୋରିଆର ପଦକ୍ଷେପକୁ ସମର୍ଥନ କରୁଛନ୍ତି।

ସମ୍ବନ୍ଧିତ ଖବର