ତାମିଲନାଡୁରେ ଥିବା ବେଦାନ୍ତର ପ୍ଲାଣ୍ଟ ବନ୍ଦ ହେଲେ ଦେଶର କପର ଉତ୍ପାଦନ ଅଧା କମିଯିବ

ନୂଆଦିଲ୍ଲୀ : ତାମିଲନାଡୁର ଟୁଟିକୋରିନଠାରେ ଥିବା ବେଦାନ୍ତର କପର ପ୍ଲାଣ୍ଟକୁ ବନ୍ଦ କରିଦେବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେବା ପରେ ତାହା ଦ୍ୱାରା ଦେଶର ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । କାରଣ ଏହା ଦ୍ୱାରା ଦେଶରେ ତମ୍ବା ବା କପର ଉତ୍ପାଦନ ହ୍ରାସ ପାଇବ । କପର ବ୍ୟବହାର କରୁଥିବା ବିଭିନ୍ନ ଶିଳ୍ପ ବିଶେଷକରି ଇଲେକ୍ଟ୍ରିକାଲ ଶିଳ୍ପ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ପ୍ରାୟ ୨ ବିଲିୟନ ଡଲାର ମୂଲ୍ୟର କପର ବିଦେଶରୁ ଆମଦାନୀ କରିବାକୁ ପଡିବ ବୋଲି ଆକଳନ କରାଯାଉଛି । ଟୁଟିକୋରିନଠାରେ ଥିବା ବେଦାନ୍ତ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୪ ଲକ୍ଷ ଟନ । ଏହା ବନ୍ଦ ହୋଇଗଲେ ଦେଶର କପର ଉତ୍ପାଦନ ପ୍ରାୟ ଅଧା କମିଯିବ । ଏହାର ଭରଣା ଆମଦାନୀ ମାଧ୍ୟମରେ କରିବାକୁ ଶିଳ୍ପ ସଂସ୍ଥାମାନେ ବାଧ୍ୟ ହେବେ । ଆହୁରି ମଧ୍ୟ ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ପ୍ରାୟ ୩୦ ହଜାର ଲୋକ ଚାକିରି ବା ଜୀବିକା ହରାଇବେ ।

ସୂଚନାଯୋଗ୍ୟ ଯେ ବେଦାନ୍ତର ଶାଖା କମ୍ପାନି ଷ୍ଟେରଲାଇଟର କପର ପ୍ଲାଣ୍ଟକୁ ବନ୍ଦ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତ ସପ୍ତାହରେ ଲୋକମାନଙ୍କ ବିକ୍ଷୋଭ ହିଂସାତ୍ମକ ହେବାରୁ ପୁଲିସ ଗୁଳିରେ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହାକୁ ନେଇ ରାଜ୍ୟ ସରକାର ଭୀଷଣ ଚାପରେ ଥିଲେ । ରାଜ୍ୟମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଛନ୍ତି ଯେ ସ୍ଥାନୀୟ ଲୋକମାନଙ୍କ ଇଚ୍ଛା ମୁତାବକ ପ୍ଲାଣ୍ଟକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଉକ୍ତ ପ୍ଲାଣ୍ଟର କନସେଣ୍ଟ-ଟୁ-ଅପରେଟ୍‌ ପ୍ରତ୍ୟାହାର କରିନିଆଯାଇଛି ଓ ପ୍ଲାଣ୍ଟକୁ ସିଲ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କୁହାଯାଇଛି ।

ସମ୍ବନ୍ଧିତ ଖବର