ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ନବୀନ ପଟ୍ଟନାୟକ, ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ବର: ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ଜଣାପଡ଼ିଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ଅମ୍ଫାନଜନିତ ସଙ୍କଟ ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହ ଓଡ଼ିଶାର ସମବେଦନା ରହିଛି ବୋଲି କହିଛନ୍ତି।

ଅମ୍ଫାନ୍ ଯୋଗୁ ପଶ୍ଚିମବଙ୍ଗର କ୍ଷତିର ପରିମାଣ ବିଷୟରେ ପଚାରି ବୁଝିଥିଲେ ନବୀନ ପଟ୍ଟନାୟକ । ଏହି ସଂକଟଜନକ ପରିସ୍ଥିତିକୁ ଦୂର କରିବା ପାଇଁ  ଲୋକବଳ ଏବଂ ସାମଗ୍ରୀ ଦୃଷ୍ଟିରୁ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଆଜି  ପ୍ରଧାନମନ୍ତ୍ରୀ କୋଲକାତାରେ ପହଞ୍ଚି କ୍ଷତିଗ୍ରସ୍ତ ଅ଼ଞ୍ଚଳ ବୁଲି ଦେଖିବା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦: ୪୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ କୋଲ୍‌କାତା ବିମାନ ବନ୍ଦରରେ ଅବତରଣ କରିବେ। ୧୦: ୫୦ ମିନିଟ୍‌ରେ ସେଠାରୁ ହେଲିକପ୍ଟର୍ ଯୋଗେ ବସିରହାଟ ଯାଇ ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରିବେ। ୧୧: ୨୦ରେ ପ୍ରଧାନମନ୍ତ୍ରୀ ବସିରହାଟ ଠାରେ ରାଜ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେବେ। ସେଠାରୁ ଅପରାହ୍ଣ ୧୨: ୫୦ରେ କୋଲ୍‌କାତା ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଅପରାହ୍ଣ ୧: ୨୦ରେ କୋଲ୍‌କାତା ବିମାନ ବନ୍ଦରରେ ପହଞ୍ଚି ୧: ୩୦ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ୨ଟା ୫୫ରେ ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ଅପରାହ୍ନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖଙ୍କ ସହିତ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। ଏହାପରେ ବିମାନ ବନ୍ଦରରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଅପରାହ୍ନ ୪ଟା ୫୫ରେ ଭୁବନେଶ୍ୱର ଫେରି ୫ଟାରୁ ୬ ପର୍ଯ୍ୟନ୍ତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୬ଟା ୧୫ରେ ଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର