ତାଜ୍ ଦର୍ଶନବେଳେ ଶାହା ଜାହାନ୍ଙ୍କ ସମାଧିଠାରେ କିଛି ସମୟ ବିତାଇବେ ଯୋଗୀ
ଲକ୍ଷ୍ନୌ: ଭାରତୀୟ ଇତିହାସ ଏବଂ ସଂସ୍କୃତିରେ ତାଜ୍ ମହଲ୍ର ସ୍ଥାନ ସଂକ୍ରାନ୍ତରେ ବାଦ ବିସମ୍ବାଦ ଚାଲିଥିବାବେଳେ ଅକ୍ଟୋବର ୨୬ ତାରିଖ ଦିନ ତାଜ୍ ମହଲ୍ ଦର୍ଶନ ନିମନ୍ତେ ଯାଉଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶାହା ଜାହାନ୍ ଏବଂ ମମ୍ତାଜ୍ ମହଲ୍ଙ୍କ ସମାଧିସ୍ଥଳ ପରିଦର୍ଶନ କରି ଏହି ସପ୍ତଦଶ ଶତାବ୍ଦୀର ସ୍ମାରକୀରେ ଯୋଗୀ ଆଦିତ୍ୟନାଥ ଅନ୍ୟୂନ ଅଧ ଘଣ୍ଟା ବିତାଇବେ ବୋଲି କୁହା ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅକ୍ଟୋବର ୨୬ ତାରିଖ ଦିନ ତାଙ୍କର ଆଗ୍ରା ଗସ୍ତରେ ମୁଖ୍ୟମନ୍ତ୍ରୀ ତାଜ୍ ମହଲ୍ ମଧ୍ୟରେ ଥିବା ସମସ୍ତ ସ୍ଥାନ ଦର୍ଶନ କରିବେ ବୋଲି ଉତ୍ତର ପ୍ରଦେଶ ପର୍ଯ୍ୟଟନର ପ୍ରିନ୍ସିପାଲ୍ ସେକ୍ରେଟାରି ଅନିଶ ଅଓ୍ଵସ୍ତି କହିଛନ୍ତି। ତାଜ୍ ଦର୍ଶନରେ ଯିବାରେ ଯୋଗୀ ହେଉଛନ୍ତି ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ବିଶ୍ୱ ପ୍ରସିଦ୍ଧ ତାଜ୍ ମହଲ୍କୁ ଏହା ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ଗସ୍ତ।
ରାଜ୍ୟର ବିକାଶ ପ୍ରକଳ୍ପ ତାଲିକା ସମ୍ବଳିତ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ କର୍ତ୍ତୃକ ପ୍ରକାଶିତ ଏକ ପୁସ୍ତିକାରେ ତାଜ୍ ମହଲ୍ ଉଲ୍ଲେଖ ନ ଥିବାରୁ ପ୍ରଥମେ ବିବାଦ ଉପୁଜିବା ପରେ ପରେ ଆହୁରି ଗୁଡ଼ାଏ ବିବାଦ ଉପୁଜିବା ମଧ୍ୟରେ ଯୋଗୀଙ୍କର ତାଜ୍ ମହଲ୍ ଦର୍ଶନ କରି ଯିବା ଯୋଜନା ଘୋଷଣା କରାଯାଇଛି। ତାଜ୍ ମହଲ୍କୁ ‘ଭାରତୀୟ ଇତିହାର କଳଙ୍କ’ ବୋଲି ବିଜେପି ଏମ୍ଏଲ୍ଏ ସଙ୍ଗୀତ ସୋମ କହିଥିବାବେଳେ ‘ଏହା ମୂଳତଃ ଏକ ଶିବ ମନ୍ଦିର’ ଥିଲା ବୋଲି ବିଜେପି ଏମ୍ପି ବିନୟ କାତିୟାର୍ କହିଥିଲେ।
ସେ ଯାହାହେଉ, ଗତ ସପ୍ତାହରେ ଗୋରଖପୁର ଠାରେ ଏକ ଶୋଭାଯାତ୍ରାରେ ଉଦ୍ବୋଧନ ଦେଇ ଯୋଗୀ ତାଜ୍ ମହଲ୍କୁ ଭାରତର ଗୌରବ ବୋଲି କହିବା ସହ ଏହା ଏକ ବିଶ୍ୱସ୍ତରୀୟ ହର୍ମ୍ୟ ବୋଲି ନିର୍ଦେଶ କରିଥିଲେ। ଗତ ବର୍ଷ ବିହାର ଠାରେ ଏକ ଶୋଭାଯାତ୍ରାରେ ସେ ତାଜ୍ ମହଲ ଉପରେ ଦେଇଥିବା ମନ୍ତବ୍ୟ ଠାରୁ ଏହା ଥିଲା ଉଲ୍ଲେଖଯୋଗ୍ୟ ଭାବେ ପୃଥକ୍। ସେ କହିଥିଲେ କି ତାଜ୍ ଭାରତୀୟ ସଂସ୍କୃତିର ପ୍ରତିନିଧିତ୍ୱ କରେ ନାହିଁ। ଭାରତ ଗସ୍ତରେ ଆସୁଥିବା ବିଦେଶୀ ଅଭ୍ୟାଗତଙ୍କୁ ତାଜ୍ ମହଲ୍ ପ୍ରତିକୃତି ନୁହେଁ ବରଂ ଗୀତା ଉପଢ଼ୌକନ ଦେବା ଉଚିତ।
ଗତ ମଙ୍ଗଳବାର ଦିନ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଭାରତ ମାତାଙ୍କ ପୁତ୍ରମାନଙ୍କ ରକ୍ତ ଓ ସ୍ୱେଦରେ ତାଜ୍ ମହଲ୍ ନିର୍ମିତ। ଏହାର ସୁରକ୍ଷା ଦାୟିତ୍ୱ ଉତ୍ତର ପ୍ରଦେଶ ସରକାରଙ୍କର। ପର୍ଯ୍ୟଟନ ଯୋଜନାର ସମୀକ୍ଷା କରିବା ନିମନ୍ତେ ସେ ଆସନ୍ତା ସପ୍ତାହରେ ଆଗ୍ରା ଯିବେ ବୋଲି ଘୋଷଣା କରିଥିଲେ। ସେ ଆହୁରି କହିଥିଲେ କି, ତାଜ୍ ମହଲ୍ ଏକ ଐତିହାସିକ ହର୍ମ୍ୟ। ତାହା ଯେଉଁ ସମ୍ରାଟଙ୍କ ଦ୍ୱାରା ନିର୍ମିତ ହୋଇ ଥାଉ ସେଥିରେ କିଛି ଯାଏଆସେ ନାହିଁ।
ଶେଷ ଥର ନିମନ୍ତେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ଅଖିଳେଶ ଯାଦବ ତାଜ୍ ମହଲ୍ ଦର୍ଶନ କରି ଯାଇଥିଲେ। ଦୁଇ ବର୍ଷରୁ ଅଧିକ ସମୟ ପୂର୍ବରୁ ଭାଲେଣ୍ଟାଇନ୍ ଡେ’ ଦିନ ହର୍ମ୍ୟ ସମ୍ମୁଖରେ ଥିବା ବେଞ୍ଚ୍ରେ ସେ ଏବଂ କନ୍ନୌଜ ସାଂସଦ ତଥା ତାଙ୍କ ପତ୍ନୀ ଡିମ୍ପଲ୍ ଯାଦବ ବସିଥିଲେ।