ପୋଖରାନ୍‌ ପଛରେ କ୍ରିକେଟ୍‌, ବିଲିୟାର୍ଡସ୍‌

ଆମେରିକୀୟ ଉପଗ୍ରହକୁ ଦେଲା ଧୋକା, ପରମାଣୁ କ୍ଷମତାଶାଳୀ ହେଲା ଭାରତ

0 95

ନୂଆଦିଲ୍ଲୀ: ପୋଖରାନ୍‌-୨ ପରମାଣୁ ପରୀକ୍ଷଣକୁ ସଫଳତାପୂର୍ବକ ସମ୍ପାଦନ କରି ଭାରତ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ବି କିଛି କମ୍‌ ନୁହେଁ ବୋଲି ଦମ୍ଭର ସହିତ ଜାହିର କଲା। ଇତିମଧ୍ୟରେ ୨୦ ବର୍ଷ ଅତିକ୍ରାନ୍ତ କରିଯାଇଥିବା ବେଳେ ସାମରିକ କ୍ଷମତା ଦୃଷ୍ଟିରୁ ଭାରତ ଆଜି ଆଗ ଧାଡ଼ିର ରାଷ୍ଟ୍ର ପାଲଟିଛି। ପାକିସ୍ତାନ, ଚୀନ୍‌ ଭଳି ମାରାତ୍ମକ ପଡ଼ୋଶୀ ରାଷ୍ଟ୍ର ମଧ୍ୟ ଭାରତକୁ ଭୟ କରୁଛନ୍ତି। ତେବେ ଭାରତ ଏ ଦିଗରେ ସଫଳତା ହାସଲ ପାଇଁ ଅନେକ ବିପଜ୍ଜନକ ପରିସ୍ଥିତି ତଥା ଚ୍ୟାଲେଞ୍ଜ୍‌ର ସାମ୍ନା କରିଛି। ଆମେରିକା ଭଳି ବିକଶିତ ରାଷ୍ଟ୍ରର ଏକାଧିକ ଗୁପ୍ତ ଉପଗ୍ରହ ନଜରରେ ଥାଇ ମଧ୍ୟ ଭାରତ ସେ ସବୁକୁ ଚକ୍‌ମା ଦେଇ ପରମାଣୁ ପରୀକ୍ଷଣକୁ ସଫଳ କରାଇଛି। ଅନ୍ୟ ରାଷ୍ଟ୍ରର ସାଟେଲାଇଟ୍‌ ବା ଉପଗ୍ରହର ନଜରରୁ ବର୍ତ୍ତି କିଭଳି ପରମାଣୁ ପରୀକ୍ଷଣ କରାଯାଇ ପାରିବ, ତାହା ଭାରତ ପ୍ରମାଣ କରି ଦେଖାଇଦେଇଛି। ଏହି ପରୀକ୍ଷଣରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ୫୮ତମ ଇଞ୍ଜିନିୟରିଂ ରେଜିମେଣ୍ଟର ତତ୍‌କାଳୀନ କର୍ଣ୍ଣଲ୍‌ ଗୋପାଳ କୌଶିକ ଏକ ସାକ୍ଷାତକାରରେ ବିଗତ ଦିନର ଘଟଣାକୁ ବ୍ୟାଖ୍ୟା କରି କହିଛନ୍ତି, ତାଙ୍କ ନେତୃତ୍ୱରେ ରାଜସ୍ଥାନର ପୋଖରାନ୍‌ ଘାଟିରେ ସଫଳତା ପୂର୍ବକ ପରମାଣୁ ପରୀକ୍ଷଣ ହୋଇଥିଲା। ଏଥିପାଇଁ କିଛି କୋଡ୍‌ ନେମ୍‌ ବ୍ୟବହାର କରାଯାଇଥିଲା। ପୋଖରାନ୍‌ ୨ ପରମାଣୁ ପରୀକ୍ଷଣର କୋଡ୍‌ ନେମ୍‌ ‘ଅପରେସନ୍‌ ଶକ୍ତି’ ରଖାଯାଇଥିଲା। ୧୯୯୮ ମେ ମାସ ୧୧ ଓ ୧୩ ତାରିଖରେ ହୋଇଥିବା ପରମାଣୁ ପରୀକ୍ଷଣ ବେଳେ ଅନେକ ଆହ୍ଵାନ ଥିଲା। ଆମେରିକାର ସବୁ ଉପଗ୍ରହକୁ ଚକ୍‌ମା ଦେବାରେ ଆମେ ସମର୍ଥ ହୋଇଥିଲୁ। ଫଳରେ ପୋଖରାନ୍‌ ୨ (କୋଡ୍‌ ନେମ୍‌: ଅପରେସନ୍‌ ଶକ୍ତି) ସଫଳ ହୋଇପାରିଥିଲା।

ଆମେରିକାର ଗୋଇନ୍ଦା ଏଜେନ୍ସି ସିଆଇଏ ଆଖିରେ ଧୂଳିଦେଇ ଭାରତ ଏହି ପରୀକ୍ଷା କରିଥିଲା। ଏହି ଅପରେସନ୍‌ରେ ୫ଟି ପରମାଣୁ ବୋମା ପରୀକ୍ଷା କରାଯାଇଥିଲା। ଗୋପାଳ କୌଶିକଙ୍କ କହିବାନୁସାରେ ୫୮ତମ ରେଜିମେଣ୍ଟ ଭାରତରେ ଧର୍ମ ଭଳି ପୂଜା ପାଉଥିବା କ୍ରିକେଟ୍‌ ଓ ବିଲିୟାର୍ଡସ୍‌ର ସହାୟତା ନିଆଯାଇ ଏହି ପ୍ରକଳ୍ପକୁ ନିର୍ଯାସ ଦିଆଯାଇଥିଲା। ‘କ୍ରିକେଟ୍‌’ ଓ ‘ବିଲିୟାର୍ଡସ୍‌’କୁ କୋଡ୍‌ ନେମ୍‌ ଭାବେ ବ୍ୟବହାର କରି ରେଜିମେଣ୍ଟ କେବଳ ଗୁପ୍ତ ଭାବେ ପରମାଣୁ ବୋମା ପରୀକ୍ଷଣ କରିଥିଲା ତାହା ନୁହେଁ, ନିଜ ବୋମାଗୁଡ଼ିକୁ ସୁରକ୍ଷିତ ମଧ୍ୟ ରଖିପାରିଥିଲା। କି୍ରକେଟ୍‌ ଓ ବିଲିୟାର୍ଡସ୍‌କୁ କୋଡ୍‌ ନାମ ଭାବେ ବ୍ୟବହାର କରାଯିବାରୁ କୌଣସି ଗୁପ୍ତ ଉପଗ୍ରହ (ସ୍ପାଏ ସାଟେଲାଇଟ୍‌) ଏହାର ଟେର୍‌ ପାଇ ନ ଥିଲେ। କୌଶିକ ଓ ତାଙ୍କ ସାଥୀମାନେ ଅଟୋମିକ୍‌ କମିସନ୍‌ର ପୂର୍ବତନ ଅଧ୍ୟକ୍ଷ ଆର୍‌ ଚିଦମ୍ବରମ୍‌, ଭାବା ଅଟୋମିକ୍‌ ରିସର୍ଚ୍ଚ ସେଣ୍ଟରର ପୂର୍ବତନ ମୁଖ୍ୟ ଅନିଲ କାକୋଦକର, ପୂର୍ବତନ ରାଷ୍ଟ୍ରପତି ତଥା ତତ୍‌କାଳୀନ ଡିଆର୍‌ଡିଓ ମୁଖ୍ୟ ଅବ୍‌ଦୁଲ କଲାମ୍‌ ଏବଂ ଡିଆର୍‌ଡିଓର ପରାମର୍ଶଦାତା କେ ସନ୍ଥନମ୍‌ଙ୍କ ସହିତ ମିଶି ଅନେକ ସାବଧାନତାର ସହ ଏହି ପରୀକ୍ଷଣକୁ ସଫଳ କରାଇଥିଲେ। ଏଥିରେ ଶତାଧିକ ବୈଜ୍ଞାନିକ ବି ଲାଗିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.