ମାକଡୋନାଲ୍ଡ ମାଲିକ ପୂର୍ବରୁ ଢାବା ଚଳାଉଥିଲେ, କୋକାକୋଲା ମାଲିକ ଲେମ୍ବୁପାଣି ବିକୁଥିଲେ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଅନେକ ସମୟରେ ନିଜର ମଜାଳିଆ ଭାଷଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅବଶ୍ୟ ଏହା ଭିନ୍ନ କଥା ଯେ ତାଙ୍କ ଅଧିକାଂଶ ଭାଷଣକୁ ଲୋକମାନେ ମଜାର ସହ ନିଅନ୍ତି । ଆଜି ପୁଣି ସେ ଏପରି ଏକ ଭାଷଣ ଦେଇଛନ୍ତି ଯେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଆଜି ଦିଲ୍ଲୀରେ ଅନୁଷ୍ଠିତ ଏକ ଜନସଭାରେ ସେ କହିଥିଲେ ଯେ କୋକାକୋଲାର ମାଲିକ ପୂର୍ବରୁ ଆମେରିକାରେ ଲେମ୍ବୁପାଣି ବିକ୍ରି କରୁଥିଲେ ।

“ ଆପଣ ସମସ୍ତେ କୋକାକୋଲା କମ୍ପାନି କଥା ଶୁଣିଥିବେ । ଏବେ ମୋତେ କୁହନ୍ତୁ ତାହାର ମାଲିକ ପୂର୍ବରୁ କଣ କରୁଥିଲେ ? ମୁଁ ତାହାର ଉତ୍ତର କହୁଛି , ସେ ପୂର୍ବରୁ ଆମେରିକାରେ ଲେମ୍ବୁପାଣି ବିକ୍ରି କରୁଥିଲେ । ପାଣିରେ ଚିନି ମିଶଉଥିଲେ । କିନ୍ତୁ ଆମେରିକାରେ ତାଙ୍କର ସମ୍ମାନ ଏତେ ବଢିଗଲା ଯେ ସେ କୋକାକୋଲା ପରି କମ୍ପାନି ଗଢିପାରିଲେ ।”

ଆଉ ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ଆପଣମାନେ ଜାଣିଛନ୍ତି କି ମାକଡୋନାଲ୍ଡର ମାଲିକ ପୂର୍ବରୁ କଣ କରୁଥିଲେ । ସେ ପୂର୍ବରୁ ରାସ୍ତାକଡ଼ରେ ଏକ ଢାବା ଚଳାଉଥିଲେ । କିନ୍ତୁ ତାହାର ଏତେ ବଡ଼ କମ୍ପାନି ତିଆରି କରିପାରିଲେ । ଆପଣମାନେ ମୋତ ଦେଖାନ୍ତୁ ଭାରତରେ କେଉଁ ଢାବାବାଲା କୋକାକୋଲା ପରି ଏକ କମ୍ପାନି ଗଢିପାରିଛି । ଆମ ଦେଶରେ ସେପରି କରିବା ପାଇଁ ସୁଯୋଗ ନାହିଁ । ରାହୁଲ ଗାନ୍ଧିଙ୍କ ଏପରି କଥା ଟ୍ଵିଟରରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର