ପୁଣି ଆରମ୍ଭ ହେଲା କଏନ ଉତ୍ପାଦନ

ନୂଆଦିଲ୍ଲୀ: ଗତ ୧୦ ତାରିଖରୁ ସାମୟିକ ଭାବେ ବନ୍ଦ କରାଯାଇଥିବା ସରକାରୀ ମୁଦ୍ରାଶାଳରୁ ମୁଦ୍ରା ଉତ୍ପାଦନ ଆରମ୍ଭ ହୋଇଛି । ମୁଦ୍ରା ଉତ୍ପାଦନ ବନ୍ଦ ଲାଗି ନିର୍ଦ୍ଦେଶ ଜାରି କରିଥିବା ଭାରତ ସରକାରଙ୍କ ସଂସ୍ଥା ସିକ୍ୟୁରିଟି ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅପ ଇଣ୍ଡିଆ ନିଜର ପୂର୍ବ ଅଦେଶକୁ ପ୍ରତ୍ୟାହାର କରିନେବା ପରେ ମୁଦ୍ରା ତିଆରି କାରଖାନାଗୁଡିକରେ କାମ ଆରମ୍ଭ ହୋଇଛି ।

ଗତ ୧୦ ତାରିଖ ଦିନ ରିଜର୍ଭ ବ୍ୟାଙ୍କର ପରାମର୍ଶ କ୍ରମେ ସିକ୍ୟୁରିଟି ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅପ ଇଣ୍ଡିଆ ନିଜର ୪ଟି ମୁଦ୍ରା ତିଆରି କାରଖାନା ମୁମ୍ବାଇ, କୋଲକତା, ହାଇଦ୍ରାବାଦ ଓ ନୋଇଡାରେ ମୁଦ୍ରା (କଏନ) ଉତ୍ପାଦନ କାର୍ଯ୍ୟ ସାମୟିକ ଭାବେ ବନ୍ଦ କରିଥିଲା । ଏହା ସହିତ କର୍ମଚାରୀଙ୍କ ଓଭରଟାଇମ ଉପରେ ମଧ୍ୟ କଟକଣା ଲଗାଯାଇଥିଲା । ଏସବୁ କାରଖାନାଗୁଡ଼ିକରେ ସାଧାରଣତଃ ଦିନ ସିଫ୍ଟ ଓ ରାତି ସିଫ୍ଟରେ କର୍ମଚାରୀମାନେ କାର୍ଯ୍ୟ କରନ୍ତି । ଦିନ ସିଫ୍ଟ ସେମାନଙ୍କ ସ୍ୱାଭାବିକ ସିଫ୍ଟ ହୋଇଥିବାବେଳେ ରାତି ସିଫ୍ଟ ପାଇଁ ସେମାନେ ଓଭରଟାଇମ ଆୟ କରନ୍ତି ।

Image Courtesy of India Today

କଏନ ଉତ୍ପାଦନ ବନ୍ଦ ହେବା ବିରୁଦ୍ଧରେ କର୍ମଚାରୀ ସଂଘର ପ୍ରତିନିଧିମାନେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ଅଭିଯୋଗ କରିବା ସହ ତାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ହିଁ ସିକ୍ୟୁରିଟି ପ୍ରିଣ୍ଟିଂ ଏଣ୍ଡ ମିଣ୍ଟିଂ କର୍ପୋରେସନ ଅଫ ଇଣ୍ଡିଆ କାରଖାନା ଚାଲୁ କରିଥିବା କୁହାଯାଉଛି ।
ଗତ ବର୍ଷର ବିମୁଦ୍ରିକରଣ ପରେ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଭଲ୍ଟଗୁଡ଼ିକ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରେ ଭର୍ତି ହୋଇରହିଛି। ତେଣୁ କଏନ୍ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ସ୍ଥାନର ଅଭାବ ଦେଖାଦେଇଛି। ଏହି କାରଣରୁ ସାମୟିକ କଏନ ଉତ୍ପାଦନ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଥିଲା ।

ସମ୍ବନ୍ଧିତ ଖବର