ଫିଫା ବିଶ୍ୱକପ୍‌ ୨୦୧୮ : ଲାଇଭ୍‌ ରିପୋର୍ଟିଂ କରୁଥିବା ବେଳେ ସାମ୍ବାଦିକାଙ୍କୁ ଚୁମ୍ବନ ଦେଲେ ଫୁଟ୍‌ବଲ ପ୍ରଶଂସକ, ଦେଖନ୍ତୁ ଭିଡିଓ

ମସ୍କୋ : ଋଷିଆରେ ଏକ ଜର୍ମାନୀ ନିଉଜ୍‌ ଚ୍ୟାନେଲ ପାଇଁ ଫିଫା ବିଶ୍ୱକପ୍‌ ୨୦୧୮ର ରିପୋର୍ଟିଂ କରୁଥିବା ବେଳେ ଜଣେ ସାମ୍ବାଦିକାଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଛି । ମହିଳା ସାମ୍ବାଦିକ ଜଣକ ବାହାରେ ଠିଆ ହୋଇ ଲାଇଭ୍‌ ରିପୋର୍ଟିଂ କରୁଥିବା ବେଳେ ଜଣେ ଫୁଟ୍‌ବଲ ପ୍ରଶଂସକ ହଠାତ୍‌ ଆସି ତାଙ୍କୁ ଚୁମ୍ବନ ଦେଇଥିଲେ । ସୋ’ଟି ଲାଇଭ୍‌ ଚାଲୁଥିବାରୁ ପୂରା ଘଟଣା କ୍ୟାମେରାରେ କଏଦ ହୋଇ ଯାଇଥିଲା । ଏହି ଘଟଣା ପରେ ସାମ୍ବାଦିକା ଜଣକ ଟ୍ଵିଟରକୁ ଯାଇ ଏହି ଭିଡ଼ିଓଟି ଅପ୍‌ଲୋଡ଼୍‍ କରିଥିଲେ । ଭିଡ଼ିଓ ଅପ୍‌ଲୋଡ଼୍‍ କରି ବ୍ୟକ୍ତି ଜଣଙ୍କ ଜାଣି ଶୁଣି ଏପରି କରିଥିଲେ ବୋଲି ଲେଖିଥିଲେ।

 ସେ କରିଥିବା ପୋଷ୍ଟ ଅନୁଯାୟୀ,ମୁଁ ସେ ସ୍ଥାନରେ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଉପସ୍ଥିତ ଥିଲି । ଉକ୍ତ ବ୍ୟକ୍ତି ଜଣକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମୁଁ ମୋ ଲାଇଭ୍‌ ସୋ ପାଇଁ ପ୍ରସ୍ତୁତ ହେଉଥିବା ଜାଣି ସେ ଅପେକ୍ଷା କରିଥିଲେ । ଯେତେବେଳେ ମୁଁ ଲାଇଭ୍‌ ରିପୋର୍ଟିଂ ଆରମ୍ଭ କଲି ଜାଣି ଶୁଣି ସେ ମୋତେ ଆସି ଚୁମ୍ବନ ଦେବା ସହ ମୋ ବକ୍ଷୋଜକୁ ଛୁଇଁ ଚାଲି ଯାଇଥିଲେ । ଲାଇଭ୍‌ ରିପୋର୍ଟିଂ ସମୟରେ ମୁଁ କିଛି କରି ପାରିବି ନାହିଁ ବୋଲି ଜାଣି ସେ ଏପରି କରିଥିଲେ ବୋଲି ସାମ୍ବାଦିକା ଜଣକ ଲେଖି ପୋଷ୍ଟ କରିଥିଲେ । ଏହା ସହ ରିପୋର୍ଟିଂ ପରେ ସେ ଉକ୍ତ ଯୁବକଙ୍କ ଖୋଜିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିବା କହିଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବା ପରେ ମହିଳା ସାମ୍ବାଦିକାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବିଶ୍ୱବାସୀ ।

ସମ୍ବନ୍ଧିତ ଖବର