ପତଞ୍ଜଳିର ଵେଲ ଓ ଗୁଲାବ ସର୍ବତକୁ ନେଇ ଉଠିଲା ଆପତ୍ତି

ନୂଆଦିଲ୍ଲୀ: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ନିଜର ଦୁଇ ଉତ୍ପାଦ ଵେଲ ସର୍ବତ ଓ ଗୁଲାବ ସର୍ବତକୁ ନେଇ ଆମେରିକୀୟ ଆଇନରେ ଫସିପାରେ | ଆମେରିକା ସ୍ୱାସ୍ଥ୍ୟ ନିୟାମକ ଏ ବାବଦରେ ଏକ ରିପୋର୍ଟ ଦେଇଛି | ୟୁନାଇଟେଡ଼ ଷ୍ଟେଟସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ(ୟୁଏସଏଫଡିଏ)ର ରିପୋର୍ଟରେ କୁହାଯାଇଛି ଯେ ପତଞ୍ଜଳିର ଭାରତରେ ବିକ୍ରି କରୁଥିବା ଉତ୍ପାଦ ଓ ରପ୍ତାନି କରାଯାଉଥିବା ଉତ୍ପାଦ ବାବଦରେ ଦିଆଯାଉଥିବା ତଥ୍ୟ ବାବଦରେ ତାଳମେଳ ରହୁନାହିଁ |

ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଏହି ଦୁଇଟି ସର୍ବତକୁ ଅଲଗା କହି ବିକ୍ରି କରାଯାଉଥିବାବେଳେ ଆମେରିକାରେ ଭିନ୍ନ ତଥ୍ୟ ଦେଇ ବିକ୍ରି କରାଯାଉଛି | ଏଠାରେ ସୂଚନା ଥାଉ କି ଆମେରିକାର ଖାଦ୍ୟ ସୁରକ୍ଷା ଆଇନ ଭାରତୀୟ ଆଇନ ତୁଳନାରେ ଅଧିକ କଡା ହୋଇଥାଏ |

ଯଦି ଆମେରିକାରେ ଭୁଲ ତଥ୍ୟ ଦେଇ ବିକ୍ରି କରାଯାଉଥାଏ, ତେବେ ୟୁଏସଏଫଡିଏ ଆମଦାନୀକୁ ବନ୍ଦ କରିଦେବା ସହ ଚେତାବନୀ ପତ୍ର ମଧ୍ୟ ଜାରି କରିପାରେ | ଯଦି କୌଣସି ଉତ୍ପାଦ ବାବଦରେ ମାମଲା ରୁଜୁ କରାଯାଏ ତେବେ ସେହି କମ୍ପାନୀ ଉପରେ ୫ ଲକ୍ଷ ଆମେରିକା ଡଲାରର ଜରିମାନା ଲଗାଯିବା ସହ କମ୍ପାନୀ ଅଧିକାରୀଙ୍କୁ ତିନି ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଥାଏ |

ସମ୍ବନ୍ଧିତ ଖବର