ଅଯୋଧ୍ୟା ରାମ ଜନ୍ମଭୂମି ପ୍ରସଙ୍ଗ : ଅଦାଲତ ବାହାରେ ସମାଧାନ ଉଦ୍ୟମ ଜାରି

ଇସ୍‌ଲାମ ଧର୍ମରେ ମସ୍‌ଜିଦ୍‌କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅନୁମତି ଓ ବ୍ୟବସ୍ଥା ରହିଛି

ବେଙ୍ଗାଲୁରୁ: ବିବାଦୀୟ ଅଯୋଧ୍ୟା ରାମ ଜନ୍ମଭୂମି-ବାବରି ମସ୍‌ଜିଦ ମାମଲାକୁ କେବଳ ଜମି ବିବାଦ ଭାବେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଟିପ୍ପଣୀ କରିବାର ଦିନକ ପରେ ଆଜି ଅଦାଲତ ବାହାରେ ଏହାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମୁସ୍‌ଲିମ୍‌ ସମ୍ପ୍ରଦାୟର କିଛି ବରିଷ୍ଠ ଜ୍ଞାନୀ ଗୁଣୀ ବ୍ୟକ୍ତିବିଶେଷ ଆଜି ଆର୍ଟ ଅଫ୍‌ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ବିବାଦୀୟ ସ୍ଥଳରୁ ବାବରି ମସ୍‌ଜିଦ୍‌କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମୁସ୍‌ଲିମ୍‌ମାନେ ସମର୍ଥନ କରୁଛନ୍ତି ବୋଲି ଆଲୋଚନା ପରେ ଶ୍ରୀ ରବିଶଙ୍କର କହିଛନ୍ତି। ଏ ପ୍ରସଙ୍ଗରେ ଅଦାଲତ ବାହାରେ ଆପୋସ ବୁଝାମଣା ଭିତ୍ତିରେ ଏକ ସମାଧାନ ସୂତ୍ର ବାହାର କରିବା ଲାଗି ପୂର୍ବରୁ ଉଭୟ ସମ୍ପ୍ରଦାୟ ଭିତରେ ମଧ୍ୟସ୍ଥତା କରିଥିବା ଆଧ୍ୟାତ୍ମିକ ଗୁରୁ ଶ୍ରୀ ରବିଶଙ୍କର ଆଜି ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି।

ଆଜି ବେଙ୍ଗାଲୁରୁ ଠାରେ ମୁସ୍‌ଲିମ୍‌ର ଉଭୟ ସୁନ୍ନି ଓ ସିଆ ସମ୍ପ୍ରଦାୟର ଅଭିଜ୍ଞ ବ୍ୟକ୍ତି ଓ ଧର୍ମଗୁରୁ ସମେତ ମୁସ୍‌ଲିମ୍‌ ଲ’ ବୋର୍ଡ ସଦସ୍ୟଙ୍କ ଉପସ୍ଥିତିରେ ପୁଣି ଆଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ଅନୁଷ୍ଠାନର ୧୬ ଜଣ ପ୍ରତିନିଧି ଉପସ୍ଥିତି ଥିଲେ। ସେମାନଙ୍କ ମଧ୍ୟରେ ଲ’ ବୋର୍ଡ କାର୍ଯ୍ୟନିର୍ବାହୀ ସଦସ୍ୟ ମୌଲାନା ସୟଦ ସଲମାନ ହୁସେନ ନଦଓ୍ଵି, ଉତ୍ତର ପ୍ରଦେଶ ସୁନ୍ନି ଓ୍ଵାକଫ୍‌ ବୋର୍ଡ ଅଧ୍ୟକ୍ଷ ଜାଫର ଅହମ୍ମଦ ଫାରୁକି, ଲକ୍ଷ୍ନୌ ସ୍ଥିତ ତିଲେ ଓ୍ଵାଲି ମସ୍‌ଜିଦ୍‌ର ମୌଲାନା ଓ୍ଵାସିଫ୍‌ ହାସନ, ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଡ. ଅନିସ୍‌ ଅନ୍‌ସାରି, ସେଣ୍ଟର ଫର୍‌ ଅବ୍‌ଜେକ୍ଟିଭ୍‌ ରିସର୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ଅଧ୍ୟକ୍ଷ ଅଥାର ହୁସେନ୍‌ ସିଦ୍ଦିକି, ବ୍ୟାପାରୀ ଏ ଆର୍‌ ରେହମାନ୍‌, ଲଣ୍ଡନ ସ୍ଥିତ ଓ୍ଵାର୍ଲଡ ଇସ୍‌ଲାମିକ ଫୋରମ୍‌ ଅଧ୍ୟକ୍ଷ ମୌଲାନା ଇସା ମାନ୍‌ସୁରକି, ଭାରତୀୟ ହଜ୍‌ କମିଟିର ପୂର୍ବ ଅଧ୍ୟକ୍ଷ ଏ ଅବୁବକର ଏବଂ ବେଙ୍ଗାଲୁରୁର ଡ. ମୁସା କାଇସର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନା କାଳରେ ଲ’ ବୋର୍ଡ କାର୍ଯ୍ୟନିର୍ବାହୀ ସଦସ୍ୟ ମୌଲାନା ସୟଦ ସଲମାନ ହୁସେନ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଥିଲେ। ଇସ୍‌ଲାମ ଧର୍ମରେ ମସ୍‌ଜିଦ୍‌କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅନୁମତି ଓ ବ୍ୟବସ୍ଥା ରହିଛି ବୋଲି ସଲମାନ ଉଲ୍ଲେଖ କରିଥିଲେ। ଏହା ଉପରେ ସମସ୍ତେ ଗୁରୁତ୍ୱର ସହ ଆଲୋଚନା କରି ଅଯୋଧ୍ୟା ସ୍ଥିତ ବିବାଦୀୟ ସ୍ଥଳରୁ ଭଗ୍ନ ବାବରି ମସ୍‌ଜିଦ୍‌କୁ କିଛି ସର୍ତ୍ତରେ ଅନ୍ୟତ୍ର ସ୍ଥାନାନ୍ତର ସପକ୍ଷରେ ସମସ୍ତେ ମତ ରଖିଥିଲେ। ସୁତରାଂ ସେଠାରେ ଶ୍ରୀ ରାମଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଆଉ ପ୍ରତିବନ୍ଧକ ନରହିବା ସହ ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ହେବ ବୋଲି ସମସ୍ତେ ହୃଦୟଙ୍ଗମ କରିଥିବା କହିଛନ୍ତି। ଆଲୋଚନା ପରେ ଆର୍ଟ ଅଫ୍‌ ଲିଭିଂ ପକ୍ଷରୁ ଏ ସମ୍ପର୍କରେ କୁହାଯାଇଛ ଯେ ମୁସ୍‌ଲିମ୍‌ ସମ୍ପ୍ରଦାୟର ବିଭିନ୍ନ ଧର୍ମଗୁରୁ, ବିଜ୍ଞ ବ୍ୟକ୍ତିତ୍ୱ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ଅଦାଲତ ବାହାରେ ରାମ ଜନ୍ମଭୂମି-ବାବରି ମସଜିଦ୍‌ ବିବାଦର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେହିପରି ସେମାନେ ଉକ୍ତ ମସ୍‌ଜିଦ୍‌କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ସପକ୍ଷରେ ମଧ୍ୟ ରାଜି ଅଛନ୍ତି ବୋଲି ଆର୍ଟ ଅଫ୍‌ ଲିଭିଂ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର