ଶେଷ ହେଲା ୧୬ତମ ଲୋକସଭା, ୧୭ ଅଧିବେଶନରୁ ୮ଟିରେ ୧୦୦% କାର୍ଯ୍ୟ

ନୂଆଦିଲ୍ଲୀ: ୧୬ତମ ଲୋକସଭାର ଆଜି ଥିଲା ଶେଷ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଆଜି ତାଙ୍କ କାର୍ଯ୍ୟକାଳର ଶେଷ ଭାଷଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ସାଂସଦମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହ ପରିହାସ ଛଳରେ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଶଂସା କରିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ତୀବ୍ର କଟାକ୍ଷ କରିଥିଲେ। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କହି ତାଙ୍କୁ ଶୁଭକାମନା ଜଣାଇଥିବାରୁ ମୁଲାୟମଙ୍କୁ ମୋଦୀ ବିଶେଷ ଧନ୍ୟବାଦ ଦେଇଥିଲେ। ଦେଶର ବିକାଶର ଧାରାକୁ ଆଗକୁ ବଢ଼ାଇବାକୁ ମୁଲାୟମ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ବୋଲି ମୋଦୀ କହିଥିଲେ। ରାହୁଲଙ୍କୁ କଟାକ୍ଷ କରି ମୋଦୀ କହିଥିଲେ ଯେ କିଛି ଲୋକ ତାଙ୍କ କାର୍ଯ୍ୟକାଳରେ ଭୂକମ୍ପ ଆସିବ ବୋଲି କହୁଥିଲେ ଏବଂ ଆଉ କେତେକ କାଗଜ ବିମାନ କରି ଉଡ଼ାଉଥିଲେ। କିନ୍ତୁ ଭୂକମ୍ପ ଆସିଲା ନାହିଁ କି ସେମାନଙ୍କ ବିମାନ ଉଚ୍ଚକୁ ଉଡ଼ିଲା ନାହିଁ। ଖଡ଼ଗେଙ୍କୁ ପ୍ରଶଂସା କରି ମୋଦୀ କହିଥିଲେ ଯେ ତାଙ୍କ ଭାଷଣ ପାଇଁ ଖଡ଼ଗେ ଖୋରାକ୍‌ ଯୋଗାଉଥିଲେ। ଖଡ଼ଗେ ଗୃହରେ ଅତ୍ୟନ୍ତ ଧୈର୍ଯ୍ୟର ସହିତ ବସି ରହୁଥିଲେ ଏବଂ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଥିଲା ବୋଲି ମୋଦୀ କହିଥିଲେ। ୧୬ତମ ଲୋକସଭାରେ ମୋଟ ୧୭ଟି ଅଧିବେଶନ ହୋଇଥିବା ବେଳେ ଏଥିରୁ ୮ଟିରେ ୧୦୦% କାର୍ଯ୍ୟ ହୋଇଛି। ମୋଟାମୋଟି ଭାବେ ଏହି ଲୋକସଭାରେ ୮୫ ପ୍ରତିଶତ କାର୍ଯ୍ୟ ହୋଇଛି। ଗୃହରେ ଏବଂ ମନ୍ତ୍ରିମଣ୍ଡଳରେ ଏଥର ପୂର୍ବାପେକ୍ଷା ମହିଳା ସଦସ୍ୟଙ୍କ ସଂଖ୍ୟା ଅଧିକ ରହିଥିଲା। ୨ ଜଣ କ୍ୟାବିନେଟ୍‌ ମନ୍ତ୍ରୀ, ବାଚସ୍ପତି, ଲୋକସଭା ମହାସଚିବ ପଦବିରେ ମହିଳା ରହିଥିଲେ।

୨୧୯ରୁ ୨୦୩ ବିଲ୍‌ ଗୃହୀତ
୧୬ତମ ଲୋକସଭାରେ ମୋଟ ୨୧୯ଟି ବିଲ୍‌ ଆଗତ ହୋଇଥିବା ବେଳେ ସେଥିରୁ ୨୦୩ଟି ବିଲ୍‌ ଗୃହୀତ ହୋଇଛି। କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ବିଲ୍‌ ଏଥିରୁ ଅନ୍ୟତମ। ରାଜ୍ୟସଭାରେ ଆଜି ଶେଷ ଦିବସରେ ଅନ୍ତରୀଣ ବଜେଟ୍‌ ଏବଂ ଅର୍ଥ ବିଲ୍‌ ୨୦୧୯-୨୦୨୦ ବିନା ବିତର୍କରେ ଗୃହୀତ ହୋଇଛି। ତେବେ ନାଗରିକ ସଂଶୋଧନ ବିଲ୍‌ ଏବଂ ମୁସ୍‌ଲିମ୍‌ ମହିଳା ବିବାହ ସୁରକ୍ଷା ଅଧିକାର ତଥା ତିନି ତଲାକ୍‌ ବିଲ୍‌ ଗୃହୀତ ହୋଇପାରିନାହିଁ।

ସମ୍ବନ୍ଧିତ ଖବର