ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକ: ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୋକ

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ୬୩ ବର୍ଷ ବୟସରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ପାରିକରଙ୍କ ମୃତ୍ୟୁ ପୂର୍ବରୁ ସିଏମଓ କାର୍ଯ୍ୟାଳୟ ପକ୍ଷରୁ ଦେହ ଅସୁସ୍ଥ ଥିବା ନେଇ ଟୁଇଟ୍‌ କରାଯାଇଥିଲା। ଡାକ୍ତରଙ୍କ ପ୍ରବଳ ଉଦ୍ୟମ ପରେ ମଧ୍ୟ ପାରିକର ଆରପାରିକୁ ଚାଲି ଯାଇଛନ୍ତି। ପାରିକର ବହୁ ଦିନରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କେନ୍ଦ୍ର କ୍ୟାବିନେଟ ସୋମବାର ପୂର୍ବାହ୍ନ ୧୧ଟାରେ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମନୋହର ପାରିକର ଥିଲେ ଅଧୁନିକ ଗୋଆର ପ୍ରତିଷ୍ଠାତା। ପାରିକରଙ୍କ ନେତୃତ୍ୱରେ ଗୋଆର ସର୍ବାଙ୍ଗୀନ ବିକାଶ ହୋଇ ପାରିଛି ବୋଲି ମୋଦି ଟୁଇଟ୍‌ କରି କହିଛନ୍ତି। ତାଙ୍କ ଭଳି ନେତା ଦେଶରେ ବିରଳ। ତାଙ୍କୁ ଦେଶ କେବେ ଭୁଲି ପାରିବ ନାହିଁ ବୋଲି ମୋଦି କହିଛନ୍ତି।

ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଜଂନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଶୋକ ଜଣାଇଛନ୍ତି।

ବଲିଉଡ ଗାୟିକା ଲାତ ମଙ୍ଗେସକରଙ୍କ ସମେତ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୋକ ଜଣାଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଶୋକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର