ଯୌନ ଆବେଦନ ନଥିବା କଣ୍ଡୋମ୍‌ ବିଜ୍ଞାପନ ଟିଭିରେ ଯେ କୌଣସି ସମୟରେ ପ୍ରସାରିତ ହୋଇପାରିବ: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଯୌନ ଆବେଦନ ନ ଥିବା ଏବଂ ମହିଳା ମଡେଲ୍‌ଙ୍କୁ ନେଇ ଯୌନ କ୍ରିୟାର ପ୍ରଚାର କରୁ ନଥିବା ତଥା ଅଶ୍ଳୀଳତା ନଥିବା ଏବଂ ସୁସ୍ଥ ଓ ନିରାପଦ ଯୌନ ଜୀବନର ପ୍ରଚାର କରୁଥିବା କଣ୍ଡୋମ୍‌ ବିଜ୍ଞାପନଗୁଡ଼ିକ ଟିଭିରେ ଯେ କୌଣସି ସମୟରେ ବି ପ୍ରସାରିତ କରାଯାଇ ପାରିବ ବୋଲି ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧୧ ତାରିଖରେ କେନ୍ଦ୍ର ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରା ଯାଇଥିଲା। ଏହି ନିର୍ଦ୍ଦେଶନାମାରେ ଟିଭିରେ ପ୍ରସାରିତ ହେଉଥିବା କଣ୍ଡୋମ୍‌ ବିଜ୍ଞାପନ ଉପରେ ଅଙ୍କୁଶ ଲଗାଯିବା ସହ କଣ୍ଡୋମ୍‌ ବିଜ୍ଞାପନ ସବୁକୁ କେବଳ ମାତ୍ର ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଟିଭିରେ ପ୍ରସାରିତ କରିବାକୁ କୁହା ଯାଇଥିଲା। ଏହାର ଉଲ୍ଲଂଘନ ହେଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଚେତାବନୀ ଦିଆ ଯାଇଥିଲା।

YouTube

ତେବେ, ଏହାକୁ ନେଇ ସାଧାରଣରେ ବିବାଦ ସୃଷ୍ଟି ହେବା ସହ ରାଜସ୍ଥାନ ହାଇକୋର୍ଟରେ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ବିରୋଧରେ ଏକ ମାମଲା ମଧ୍ୟ ଆଗତ ହୋଇଥିଲା। ରାଜସ୍ଥାନ ହାଇକୋର୍ଟ ବୁଧବାର ଦିନ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ମନ୍ତ୍ରାଳୟ କାହିଁକି ଏପ୍ରକାର ନିର୍ଦ୍ଦେଶନାମା ଜାରି କଲେ ସଂପର୍କରେ କାରଣ ଦର୍ଶାଇବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସମେତ କେନ୍ଦ୍ର ସରକାରଙ୍କ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ୍‌ ଜାରି କରିଥିଲେ।

ଏହି ଘଟଣା ପରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ଯୌନ ଆବେଦନ ନଥିବା ଏବଂ ମହିଳା ମଡେଲ୍‌ଙ୍କୁ ନେଇ ଯୌନ କ୍ରିୟାର ପ୍ରଚାର କରୁ ନଥିବା ଏବଂ ଅଶ୍ଳୀଳତା ନଥିବା ତଥା ନିରାପଦ ଓ ସୁସ୍ଥ ଯୌନ ସଂପର୍କରେ ସଚେତନ କରୁଥିବା କଣ୍ଡୋମ୍‌ ବିଜ୍ଞାପନଗୁଡ଼ିକ ଟିଭିରେ ଯେ କୌଣସି ସମୟରେ ବି ପ୍ରସାରିତ କରାଯାଇ ପାରିବ ବୋଲି ନୂତନ ନିର୍ଦ୍ଦେଶନାମାରେ କହିଛନ୍ତି।

ତେବେ, କେବଳ ମାତ୍ର ଅଶ୍ଳୀଳତା ଥିବା ଓ ମହିଳା ମଡେଲମାନଙ୍କୁ ନେଇ ଯୌନ ଆବେଦନ ଥାଇ ପ୍ରସ୍ତୁତ ହୋଇଥିବା କଣ୍ଡୋମ୍‌ ବିଜ୍ଞାପନଗୁଡ଼ିକ ପୂର୍ବ ନିଦ୍ଦେଶନାମା ଅନୁଯାୟୀ କେବଳ ମାତ୍ର ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ପ୍ରସାରିତ ହୋଇପାରିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ସମ୍ବନ୍ଧିତ ଖବର