ଆଚରଣ ବିଧି ଉଲ୍ଲଂଘନ ମାମଲା:ରେଳବାଇ, ଏୟାର୍‌ ଇଣ୍ଡିଆକୁ ଇସିଙ୍କ ତାଗିଦ

ସପ୍ତାହକ ଭିତରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଚା’ କପ୍‌ରେ ମୁଁ ବି ଚୌକିଦାର ସ୍ଲୋଗାନ୍‌ ଏବଂ ବିମାନ ବୋର୍ଡିଂ ପାସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ‌ଟୋ ପାଇଁ ଉଭୟ ରେଳ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ନିର୍ବାଚନ କମିସନ ନୋଟିସ୍‌ କରିଥିଲେ। କିନ୍ତୁ ଏହି ମାମଲାରେ ଉଭୟ ସଂସ୍ଥାର ଖାମଖିଆଲ ମନୋଭାବକୁ ନେଇ କମିସନ କ୍ଷୁବ୍ଧ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଏ ବାବଦ ରିପୋର୍ଟ ଦ‌ାଖଲ କରିବାପାଇଁ ଉଭୟ ଏୟାର ଇଣ୍ଡିଆ ଏବଂ ଭାରତୀୟ ରେଳବାଇକୁ ନିର୍ବାଚନ କମିସନ ତାଗିଦ କରିଛନ୍ତି। ଭାରତୀୟ ରେଳବାଇକୁ କରାଯାଇଥିବା ନୋଟିସ୍‌ରେ କୁହାଯାଇଛି ଯେ ‌‌ସଂକଳ୍ପ ନାମକ ଏକ ଏନ୍‌ଜିଓ ସଂସ୍ଥା ଦ୍ବାରା ଦିଆଯାଇଥିବା ଚା କପ୍‌ରେ ବିଜେପିର ସ୍ଲୋଗାନ୍‌ ରହିଛି ଏବଂ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ସେହିପରି ଏକ ଦ୍ବିତୀୟ ନୋଟିସ୍‌ରେ ଇସି ରେଳବାଇକୁ କଡ଼ା ସମାଲୋଚନା କରିଛନ୍ତି। ରେଳ ଟିକେଟ୍‌ରେ ମୋଦୀଙ୍କ ଫଟୋ ଥିବା ମାମଲାରେ ମଧ୍ୟ ଇସି ରେଳବାଇଠାରୁ ରିପୋର୍ଟ ମାଗିଛନ୍ତି। ଅଫିସର ଇନ୍‌ଚାର୍ଜଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନ ନିଷ୍ପତ୍ତି ନେଇଛନ୍ତି। ପୃଥକ୍‌ ଭାବେ ବେସାମରିକ ବିମାନ ଚଳାଚଳ ସଚିବ ପିଏସ୍‌ ଖାରୋଲାଙ୍କୁ ଏକ ଚିଠି ମାଧ୍ୟମରେ ଇସି କହିଛନ୍ତି ଯେ ଏୟାର ଇଣ୍ଡିଆ ଇସିଙ୍କ ନୋଟିସ୍‌ ଉପରେ ଜବାବ ରଖିନାହାନ୍ତି। ଦୁଇ ଦିନ ତଳେ ନିଧାର୍ଯ୍ୟ ସମୟ ଚାଲିଯାଇଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଏବାବଦ କିଛି ଉତ୍ତର ମିଳିଲାନି। ତେଣୁ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କି କା‌ର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ‌ସେନେଇ ସପ୍ତାହକ ମଧ୍ୟରେ ଉତ୍ତର ରଖିବାକୁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର