ସୁପ୍ରିମକୋର୍ଟରେ ମହାଭିଯୋଗ ମାମଲା ତିଷ୍ଠି ପାରିବ ନାହିଁ : ସୋଲି ସୋରାବଜୀ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ କଂଗ୍ରେସ ଓ ସହଯୋଗୀ ଦଳଙ୍କ ଦ୍ୱାରା ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ଖାରିଜ କଲା ପରେ କଂଗ୍ରେସ ସୁପ୍ରିମକୋର୍ଟ ଯିବାକୁ ବିଚାର କରୁଛି । କିନ୍ତୁ ସୁପ୍ରିମକୋର୍ଟରେ ମଧ୍ୟ ଏହି ଅଭିଯୋଗ ତିଷ୍ଠି ପାରିବ ନାହିଁ ବୋଲି କହିଛନ୍ତି ବିଶିଷ୍ଠ ଆଇନ ବିଶେଷଜ୍ଞ ତଥା ପୂର୍ବତନ ଆଟର୍ଣ୍ଣ ଜେନେରାଲ ସୋଲି ସୋରାବଜୀ । ସେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଆଗତ ମହାଭିଯୋଗ ପ୍ରସ୍ତାବକୁ ରଦ୍ଦ କରି ଠିକ୍‌ ନିଷ୍ପତ୍ତି ନେଇଛନ୍ତି ଉପରାଷ୍ଟ୍ରପତି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ନୋଟିସରେ କୌଣସି ଭିତ୍ତି ନଥିଲା । ଉପରାଷ୍ଟ୍ରପତି ବିଭିନ୍ନ ଆଇନଜ୍ଞଙ୍କ ପରାମର୍ଶ କରିବା ସହ ନିଜ ନିଷ୍ପତ୍ତି ନିଜେ ନେଇଛନ୍ତି । ଉପରାଷ୍ଟ୍ରପତି ଏହି ମାମଲାକୁ ଅଧିକ ଲମ୍ବାଇବାକୁ ନଦେଇ ଉପଯୁକ୍ତ ସମୟରେ ନିଷ୍ପତ୍ତି ନେଇଛନ୍ତି । ସେ ନୋଟିସର ବିଭିନ୍ନ ପକ୍ଷକୁ ବିଚାର କରି ଜାଣିପାରିଥିଲେ ଯେ ମହାଭିଯୋଗ କରିବା ପାଇଁ କୌଣସି କାରଣ ସୃଷ୍ଟି ହେଉନାହିଁ ।

କେବଳ ସୋଲି ସୋରାବଜୀ ନୁହେଁ ଦେଶର ଅନେକ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି, ଆଇନ ବିଶେଷଜ୍ଞ ମଧ୍ୟ କଂଗ୍ରେସର ମହାଭିଯୋଗ ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି ।

ଆଜି ସକାଳେ ଉପରାଷ୍ଟ୍ରପତି ବିଭିନ୍ନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ମହାଭିଯୋଗ ନୋଟିସକୁ ଫେରାଇ ଦେଇଥିଲା । କୌଣସି ବଚନ ବା କାର୍ଯ୍ୟ ଦ୍ୱାରା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂର୍ବଳ ହେବୂାକୁ ଦିଆଯିବ ନାହିଁ ଭେଙ୍କିଆ ନାଇଡୁ କହିଥିଲେ ।

ସମ୍ବନ୍ଧିତ ଖବର