ହରିୟାଣାରେ କଂଗ୍ରେସ ବିଭାଜନ ମୁହାଁ, ଦଳ ବିରୋଧରେ ଗର୍ଜିଲେ ହୁଦା

ନିଜକୁ ମୁଖ୍ୟମନ୍ତ୍ରୀ, ପ୍ରାର୍ଥୀ ଘୋଷଣା କଲେ

ରୋହତକ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏବେ ବଡ଼ ଧରଣର ଦଳୀୟ କନ୍ଦଳକୁ ସାମ୍ନା କରୁଛି। ସଂଜୟ ସିଂହ, ଭୁବନେଶ୍ବର କଲିତାଙ୍କ ଭଳି ବରିଷ୍ଠ ସାଂସଦମାନେ ଦଳରୁ ଇସ୍ତଫା ଦେଇଥିବା ବେଳେ କର୍ଣ୍ଣାଟକ ଏବଂ ଗୋଆରେ ଦଳ ବିଦ୍ରୋହର ସମ୍ମୁଖୀନ ହୋଇଛି। ଧାରା ୩୭୦ ହଟାଯିବାକୁ ବହୁ ନେତା ଖୋଲାଖୋଲି ସମର୍ଥନ କରି ଦଳର ଆଭିମୁଖ୍ୟକୁ ବିରୋଧ କରିଛନ୍ତି। ହରିୟାଣାରେ ଆଜି ଦଳର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଦା ଦଳକୁ ବଡ଼ ଝଟ୍‌କା ଦେଇଛନ୍ତି। ଧାରା ୩୭୦ ହଟାଯିବା ନେଇ ଏନ୍‌ଡିଏ ସରକାରଙ୍କ ପଦକ୍ଷେପକୁ ହୁଦା ଦୃଢ଼ ସମର୍ଥନ କରିବା ସହ କଂଗ୍ରେସ ଏବେ ଦିଗହରା ହୋଇଯାଇଛି ବୋଲି କହିଛନ୍ତି। ଆଜି ରୋହତକରେ ହୁଦା ଏକ ରୢାଲି କରି ଶକ୍ତି ପ୍ରଦର୍ଶନ କରିବା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। କଂଗ୍ରେସ ଏବେ ବଡ଼ ବିଭ୍ରାନ୍ତି ଭିତରେ ଗତି କରୁଛି ଏବଂ ଆଗଭଳି ଶୃଙ୍ଖଳିତ ହୋଇ ରହିନାହିଁ ବୋଲି ସେ କହିଛନ୍ତି। ଧାରା ୩୭୦ ହଟାଯିବା ଦେଶହିତରେ ଏକ ବଡ଼ ପଦକ୍ଷେପ ଏବଂ ଏଥି ପ୍ରତି ତାଙ୍କର ଦୃଢ଼ ସମର୍ଥନ ରହିଛି ବୋଲି ସେ କହିଛନ୍ତି। ଦେଶ ସ୍ବାର୍ଥରେ ନିଆଯାଉଥିବା ପଦକ୍ଷେପକୁ କଂଗ୍ରେସ ବିରୋଧ କରିବା ଆଦୌ ଉଚିତ ହେଉନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦଳର ହାଇକମାଣ୍ଡଙ୍କ ସହ କୌଣସି ବିଚାର ବିମର୍ଶ ନକରି ଆଜି ହୁଦା ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଏହାକୁ ଦଳର ଅନେକ ବରିଷ୍ଠ ନେତା ବିରୋଧ କରିଛନ୍ତି।

ରୋହତକ ରୢାଲିରେ ଆଜି ହୁଦା ଦଳ ବିରୋଧରେ ଯେଭଳି ବର୍ଷିଛନ୍ତି ସେଥରୁ ସେ ଖୁବଶୀଘ୍ର ଦଳ ଛାଡ଼ିବେ ବୋଲି ଆଲୋଚନା ଜୋର୍‌ ଧରିଛି । ଅନ୍ୟପକ୍ଷରେ କଂଗ୍ରେସ ଉପରେ ଚାପ ସୃଷ୍ଟି କରି ତାଙ୍କୁ ହିଁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଏହା ହୁଦାଙ୍କ ଏକ ସୁଚିନ୍ତିତ ଯୋଜନା ବୋଲି କୁହାଯାଉଛି । ତେବେ ଆଜି ରୢାଲିରେ ହୁଦା ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଯେତିକି ସମାଲୋଚନା କରିଥିଲେ, ତା’ଠାରୁ ଅଧିକ ସମାଲୋଚନା ନିଜ ଦଳକୁ କରିଥିବାରୁ ଏହା ଦଳୀୟ କର୍ମୀଙ୍କୁ ନିରାଶ କରିଛି।

ସମ୍ବନ୍ଧିତ ଖବର