ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ନେଇ କଂଗ୍ରେସରେ ଫାଟ ?

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟ ୬ଟିି ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମହାଭିଯୋଗ ପ୍ରସ୍ତାବକୁ ନେଇ ଖୋଦ କଂଗ୍ରେସ ଦଳରେ ଫାଟ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ମୁତାବକ ଏହି ପ୍ରସ୍ତାବରେ ମୋଟ ୬୪ଜଣ ଏମପି ସ୍ୱାକ୍ଷର କରିଥିଲେ ମଧ୍ୟ କେତେକ ବରିଷ୍ଠ କଂଗ୍ରେସ ନେତା ଏଥିରେ ସ୍ୱାକ୍ଷର କରିନଥିବା ଆଲୋଚନା ହେଉଛି । ଏହି ନେତାମାନେ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ଆଇନ ମନ୍ତ୍ରୀ ସଲମାନ ଖୁର୍ସିଦ, ପି.ଚିଦାମ୍ବରମ ଓ ଆନନ୍ଦ ଶର୍ମା ।

ଏ ସଂପର୍କରେ ସଲମାନ ଖୁର୍ସିଦ କହିଛନ୍ତି ଯେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଏକ ସାଧାରଣ କଥା ନୁହେଁ । ଏହା କରିବା ପୂର୍ବରୁ ତାଙ୍କ ମତାମତ ନିଆଯାଇନଥିଲା । କୋର୍ଟ ରାୟ ପସନ୍ଦ ନ ଆସିବା ଅର୍ଥ ନୁହେଁ, ବିଚାରପତିଙ୍କ ବିରୋଧରେ ତରବରିଆଭାବେ ମହାଭିଯୋଗ ପ୍ରସ୍ତାବ ଆଣିବା । ବିଭିନ୍ନ ଜଟିଳ ମାମଲାର ବିଚାର ପାଇଁ ଆମ ବିଚାରବ୍ୟବସ୍ଥା ବେଶ୍‌ ଦକ୍ଷ । ଜଷ୍ଟିସ ଲୋୟା ମାମଲାରେ ଆମକୁ ସୁପ୍ରିମକୋର୍ଟଙ୍କ ରାୟକୁ ମାନିବାକୁ ପଡିବ । ଏହି ମହାଭିଯୋଗ ପ୍ରସ୍ତାବରେ ତୃଣମୂଳ କଂଗ୍ରେସ, ଏନସିପି, ସିପିଆଇ, ସିପିଏମ, ଆରଜେଡି, ମୁସଲିମ ଲିଗ୍‌, ଏସ୍‌ପି ଓ ବିଏସ୍‌ପିର ରାଜ୍ୟସଭା ସଦସ୍ୟମାନେ ସ୍ୱାକ୍ଷର କରିଛନ୍ତି ।

ସମ୍ବନ୍ଧିତ ଖବର