କଂଗ୍ରେସର ନିର୍ବାଚନୀ ଇସ୍ତାହାର:‘ନ୍ୟାୟ’ ସମେତ ୫ଟି ବଡ଼ ଘୋଷଣା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। କଂଗ୍ରେସ ଏଥିରେ ସର୍ବନିମ୍ନ ଆୟ ଯୋଜନା, ବ୍ୟାପକ କର୍ମନିଯୁକ୍ତି ଏବଂ କୃଷକଙ୍କ ପାଇଁ ପୃଥକ୍‌ ବଜେଟ୍‌ ସମେତ ୫ଟି ବଡ଼ ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତାହାର ଜାରି କରି କହିଛନ୍ତି ଯେ କ୍ଷମତାକୁ ଆସିଲେ ଦଳ ୨୦ ପ୍ରତିଶତ ଗରିବଙ୍କ ପାଇଁ ସର୍ବନିମ୍ନ ଆୟ ଯୋଜନା (ନ୍ୟାୟ) କାର୍ଯ୍ୟକାରୀ କରିବ। ଏହି ଯୋଜନାରେ ଗରିବ ପରିବାରକୁ ପ୍ରତିମାସରେ ୬ ହଜାର ଟଙ୍କା ପ୍ରଦାନ କରାଯିବ। ଇସ୍ତାହାରକୁ ଦଳ ‘ଜନ ଆୱାଜ’ (ଜନତାଙ୍କ ସ୍ବର) ନାମ ଦେଇଛି। ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦଳ ଦେଇଛି ତାହାକୁ ଆମେ ନିଶ୍ଚିତ ପୂରଣ କରିବୁ ବୋଲି ରାହୁଲ ଗାନ୍ଧୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କଂଗ୍ରେସ ପ୍ରତିଶ୍ରୁତି
୧ ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ।
୨ ବର୍ଷକ ମଧ୍ୟରେ ୨୨ ଲକ୍ଷ ସରକାରୀ ଚାକିରିରେ ନିଯୁକ୍ତି ଦିଆଯିବ। ୧୦ ଲକ୍ଷ ଲୋକଙ୍କୁ ଗ୍ରାମ ପଂଚାୟତସ୍ତରରେ ନିଯୁକ୍ତି ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଯୁବଗୋଷ୍ଠୀଙ୍କୁ ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ପ୍ରୋତ୍ସାହନ ମିଳିବ।
୩ ମନରେଗା ଯୋଜନାରେ ଦୈନିକ ମଜୁରି ୧୦୦ ଟଙ୍କାରୁ ୧୫୦ ଟଙ୍କାକୁ ବଢ଼ାଯିବ।
୪ କୃଷକଙ୍କ ପାଇଁ ସରାକର ସ୍ବତନ୍ତ୍ର ବଜେଟ୍‌ ଉପସ୍ଥାପନ କରିବେ। କୃଷକମାନେ ଋଣ ସୁଝି ନପାରିବା କ୍ଷେତ୍ରରେ ମାମଲାକୁ ଅପରାଧ ଶ୍ରେଣୀ ବାହାରେ ରଖାଯିବ।
୫ ମୋଟ ଜାତୀୟ ଆୟର ୬ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରାଯିବ। ବିଶ୍ବବିଦ୍ୟାଳୟ, ଆଇଆଇଟି, ଆଇଆଇଏମ୍‌ ସମେତ ବିଭିନ୍ନ ଉଚ୍ଚ ସଂସ୍ଥାନରେ ଗରିବ ପରିବାରର ପିଲାମାନେ ଯେଭଳି ଅଧ୍ୟୟନ କରିପାରିବେ ସେ ଦିଗରେ କଂଗ୍ରେସ ପଦକ୍ଷେପ ନେବ।

‘ଏଏଫ୍‌ଏସ୍‌ପିଏ’ରେ ସଂଶୋଧନ ଏବଂ ଦେଶଦ୍ରୋହ ଆଇନ ଉଚ୍ଛେଦ ପ୍ରତିଶ୍ରୁତି
କଂଗ୍ରେସ ଦଳ ଆଜି ଜାରି କରିଥିବା ଇସ୍ତାହାରରେ ସଶସ୍ତ୍ର ବାହିନୀର ବିଶେଷ ଅଧିକାର ଆଇନ (ଏଏଫ୍‌ଏସପିଏ)ରେ ବଡ଼ ସଂଶୋଧନ ଆଣିବା ଏବଂ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତି ଦେଇଛି। ଆତଙ୍କବାଦ ଏବଂ ଉଗ୍ରବାଦ ଅଧ୍ୟୁଷିତ ଅଂଚଳରେ ଆଫପ୍ସା ଆଇନ ଭାରତୀୟ ସେନାକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ବେଳେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଦର୍ଶାଇ ଏହାର ସମୀକ୍ଷା କରିବ ବୋଲି କଂଗ୍ରେସ କହିଛି। ଏହା ସହିତ ଆଇପିସିର ଧାରା ୧୨୪ଏ (ଦେଶଦ୍ରୋହ)କୁ ଉଚ୍ଛେଦ କରିବ ବୋଲି କଂଗ୍ରେସ ଇସ୍ତାହାରରେ ଘୋଷଣା କରାଯାଇଛି। ଦେଶଦ୍ରୋହ ଆଇନର ଦୁରୁପଯୋଗ ହେଉଛି ବୋଲି କଂଗ୍ରେସ ଦର୍ଶାଇଛି। ୨୦୧୬ରେ ଜେଏନ୍‌ୟୁରେ ଭାରତ ବିରୋଧୀ ସ୍ଲୋଗାନ ଦିଆଯିବା ପରେ କେତେକ ଛାତ୍ରନେତାଙ୍କ ବିରୋଧରେ ଏହି ଧାରା ପ୍ରୟୋଗ କରାଯିବା ପରେ ଏହାକୁ ନେଇ ବଡ଼ ଧରଣର ବିବାଦ ଉପୁଜିଥିଲା।
କଂଗ୍ରେସର ପ୍ରତିଶ୍ରୁତି ବିପଜ୍ଜନକ, ଦେଶ ବିରୋଧୀ
ଆଫସ୍ପାରେ ସଂଶୋଧନ ଏବଂ ଦେଶଦ୍ରୋହ ଆଇନ ଉଚ୍ଛେଦ କରିବାକୁ କଂଗ୍ରେସର ପ୍ରତିଶ୍ରୁତି ଦେଶପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ସଂପୂର୍ଣ୍ଣ ଦେଶ ବିରୋଧୀ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ଦେଶଦ୍ରୋହ ଯଦି ଅପରାଧ ଶ୍ରେଣୀରୁ ଉଠିଯିବ ତା’ହେଲେ ଦେଶରେ ଅରାଜକ ସ୍ଥିତି ସୃଷ୍ଟି ହେବ। କଂଗ୍ରେସ ଦେଶ ବିରୋଧୀ ଶକ୍ତିମାନଙ୍କ ସହିତ ହାତ ମିଳାଇ ଏଭଳି ଇସ୍ତାହାର ପ୍ରସ୍ତୁତ କରିଛି ବୋଲି ଜେଟ୍‌ଲି କହିଛି।

ସମ୍ବନ୍ଧିତ ଖବର