‘ହିନ୍ଦୁ ଆତଙ୍କବାଦ’ ବୟାନ ନେଇ ଅଡ଼ୁଆରେ କଂଗ୍ରେସ

ଭୋପାଳ: କଂଗ୍ରେସ ସାଧାରଣ ସଂପାଦକ ଦିଗ୍‌ବିଜୟ ସିଂହଙ୍କ ‘ହିନ୍ଦୁ ଆତଙ୍କବାଦ’ ବୟାନ ଏବେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଦିଗ୍‌୍‌ବିଜୟଙ୍କ ବୟାନକୁ ନେଇ ମଧ୍ୟପ୍ରଦେଶରେ କଂଗ୍ରେସ ଘୋର ଅଡ଼ୁଆରେ ପଡ଼ିଛି ଏବଂ ଏହାକୁ ନେଇ ବିଭିନ୍ନ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିଗ୍‌୍‌୍‌ବିଜୟଙ୍କୁ ଗତକାଲି ଦଳର ସମନ୍ଵୟ କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ମଧ୍ୟପ୍ରଦେଶରେ ଦଳକୁ ଗୋଟିଏ ପରେ ଗୋଟିଏ ବିବାଦ ଭିତରକୁ ଠେଲିବାରେ ଲାଗିଛନ୍ତି ବୋଲି କେତେକ ଦଳୀୟ ନେତା କହିଛନ୍ତି। ବିବାଦ ବଢ଼ିବା ପରେ ଦିଗ୍‌ବିଜୟ କହିଛନ୍ତି ଯେ ସେ କେବେ ବି ହିନ୍ଦୁ ଆତଙ୍କବାଦ ପ୍ରସଙ୍ଗ ଉଠାଇ ନାହାନ୍ତି। ସେ ସର୍ବଦା ‘ସଂଘ ପରିବାର ଆତଙ୍କବାଦ’ ଶବ୍ଦ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି। ଦିଗ୍‌ବିଜୟ କହିଥିଲେ ଯେ ମାଲେଗାଓଁ ବିସ୍ଫୋରଣ ଏବଂ ସମଝୌତା ଏକ୍ସପ୍ରେସ୍‌ ବିସ୍ଫୋରଣ ପଛରେ ସଂପୃକ୍ତ ଥିବା ଆତଙ୍କବାଦୀ ସଂଘ ପରିବାରର ବିଚାରଧାରାରେ ଅନୁପ୍ରାଣିତ ହୋଇଥିଲେ। ଆର୍‌ଏସ୍‌ଏସ୍‌ ଦେଶରେ ହିଂସା ଏବଂ ଘୃଣାର ପ୍ରସାର କରୁଛି ବୋଲି ଦିଗ୍‌୍‌ବିଜୟ କହିଥିଲେ। ତାଙ୍କର ଏଭଳି ବୟାନକୁ ଆର୍‌ଏସ୍‌ଏସ୍‌ ଜୋର୍‌ଦାର ବିରୋଧ କରିଥିବା ବେଳେ ତାଙ୍କୁ କଂଗ୍ରେସ ଦଳରୁ ହଟାଇବା ପାଇଁ ବିଜେପି ଦାବି କରିଛି। ଦିଗ୍‌ବିଜୟଙ୍କ ବେପରୁଆ ଓ ଖାପଛଡ଼ା ବୟାନ ପାଇଁ ମଧ୍ୟପ୍ରଦେଶରେ ଦଳ ଘୋର ଅଡ଼ୁଆରେ ପଡ଼ୁଛି ବୋଲି ପ୍ରଦେଶ କଂଗ୍ରେସ କମିଟିର ଜଣେ ବରିଷ୍ଠ ନେତା କହିଛନ୍ତି।

ସମ୍ବନ୍ଧିତ ଖବର