ରାହୁଲଙ୍କ ନେତୃତ୍ବକୁ ନେଇ ଦ୍ବନ୍ଦ୍ବରେ କଂଗ୍ରେସ: ମହାରାଷ୍ଟ୍ର, ହରିୟାଣା ନେତା ନିଜସ୍ବ ରଣନୀତି କାର୍ଯ୍ୟକାରୀ ପାଇଁ ଆଗ୍ରହୀ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟି ଯାଇଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି। ରାଜନୀତିଠାରୁ ଅର୍ଥ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାହୁଲଙ୍କ ମନ୍ତବ୍ୟ ହିଁ ଦଳର ନୀତି ନିର୍ଦ୍ଧାରଣ କରୁଛି। ଏଭଳି ସ୍ଥିତିରେ ଦଳ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ରାହୁଲଙ୍କ ନୀତିରେ କାମ କରିବ କିମ୍ବା ରାଜ୍ୟ ନେତୃତ୍ବ ନିଜସ୍ବ ଢଙ୍ଗରେ ନିର୍ବାଚନ ପ୍ରଚାର ଆଗକୁ ବଢ଼ାଇବେ ସେ ନେଇ ଦ୍ବନ୍ଦ ଲାଗି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାହୁଲ ଗାନ୍ଧୀ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ଜୋର୍ଦାର ବିରୋଧ କରିଥିଲେ। କିନ୍ତୁ ହରିୟାଣାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଦା ଏବଂ ତାଙ୍କ ପୁଅ ଦୀପେନ୍ଦ୍ର ହୁଦା ଏହାକୁ ସମର୍ଥନ କରିଥିଲେ। ଯଦି ବିଜେପି ରାହୁଲ ଗାନ୍ଧୀଙ୍କ ଧାରା ୩୭୦ ସଂକ୍ରାନ୍ତ ନୀତିକୁ ପ୍ରସଙ୍ଗ କରିବ ତା’ହେଲେ ଏ କ୍ଷେତ୍ରରେ ରାହୁଲଙ୍କ ବୟାନକୁ ସମର୍ଥନ କରାଯିବ କିମ୍ବା ରାଜ୍ୟ କଂଗ୍ରେସ ନେତାଙ୍କ ମତକୁ ଗୁରୁତ୍ବ ଦିଆଯିବ ସେ ନେଇ ମଧ୍ୟ ଦଳରେ ବିବାଦ ଲାଗି ରହିଛି। ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନ ସମୟରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ଆସିଛନ୍ତି। ତେବେ ହରିୟାଣା ଏବଂ ମହାରାଷ୍ଟ୍ର କଂଗ୍ରେସର ଅନେକ ନେତା କହିଛନ୍ତି ଯେ ଏଭଳି ଆଭିମୁଖ୍ୟ ରାଜ୍ୟରେ ଦେଖାଇଲେ ଦଳକୁ ବିଶେଷ ଫାଇଦା ମିଳିବ ନାହିଁ।
ଏଭଳି ଦ୍ବନ୍ଦ୍ବ ଭିତରେ ଦଳୀୟ ଆଭ୍ୟନ୍ତରୀଣ କଳହ ବଢ଼ିବାରେ ଲାଗିଛି। ରାହୁଲ ପ୍ରଚାରକୁ ଓହ୍ଲାଇଲେ ବିଜେପି ତାଙ୍କୁ ଘେରିବା ପାଇଁ ଧାରା ୩୭୦, ତିନି ତଲାକ ଭଳି ପ୍ରସଙ୍ଗକୁ ଅସ୍ତ୍ର କରିବ। ଏହା କଂଗ୍ରେସ ପାଇଁ ବଡ଼ ସଙ୍କଟ ସୃଷ୍ଟି କରବ ବୋଲି ରାଜ୍ୟନେତାମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ବିଜେପି ବିରୋଧରେ ମହାରାଷ୍ଟ୍ର ଏବଂ ହରିୟାଣା କଂଗ୍ରେସ ନେତାମାନେ ନିଜସ୍ବ ରଣନୀତିରେ ଆଗକୁ ବଢ଼ିବାକୁ ଚାହୁଥିବା ଯୋଗୁଁ ରାହୁଲଙ୍କ ଆଭମୁଖ୍ୟ କ’ଣ ହେବ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ରାହୁଲ ନିର୍ବାଚନ ପ୍ରଚାରରୁ ଦୂରେଇ ରହିଲେ ବି ଦଳ ପାଇଁ ସମସ୍ୟା ହେବ ବୋଲି ଅନେକ ନେତା କହିଛନ୍ତି।