ଚନ୍ଦ୍ରଯାନ-୨ର ଶ୍ରେୟ ପଣ୍ଡିତ ନେହେରୁଙ୍କୁ ଦେଲା କଂଗ୍ରେସ, ସୋସିଆଲ ମିଡିଆରେ ଲୋକେ କଲେ ସମାଲୋଚନା

ନୂଆଦିଲ୍ଲୀ : ଭାରତର ୨ୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ଆଜି ଆନ୍ଧ୍ରପ୍ରଦେଶର ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ସଫଳତାର ସହ ପ୍ରକ୍ଷେପିତ ହୋଇଛି । ଜିଏସଏଲଭି ମାକ-୩ ମହାକାଶ ଯାନ ମାଧ୍ୟମରେ ଚନ୍ଦ୍ରଯାନ-୨ ମହାକାଶକୁ ଯାତ୍ରା କରିଛି । ଭାରତର ଏହି ସଫଳାକୁ ସାରା ବିଶ୍ୱରେ ପ୍ରସଂଶା କରାଯାଉଛି । ତେବେ କଂଗ୍ରେସ ଏହି ସଫଳତାର କ୍ରେଡିଟ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଦେଇଛି । ଏ ନେଇ କଂଗ୍ରେସ ପକ୍ଷରୁ ଏକ ଟ୍ଵିଟ କରାଯାଇଛି । ତେବେ ଏହି ଟ୍ଵିଟକୁ ନେଇ ଟ୍ଵିଟରରେ କଂଗ୍ରେସକୁ ବ୍ୟାପକ ସମାଲୋଚନା କରାଯାଇଛି ।

ଚନ୍ଦ୍ରଯାନ ଉତକ୍ଷେପଣର ମାତ୍ର କିଛି ମିନିଟ ମଧ୍ୟରେ କଂଗ୍ରେସ ପକ୍ଷରୁ ଏକ ଟ୍ଵିଟ କରି କୁହାଯାଇଥିଲା ଯେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମନେପକାଇବା ଲାଗି ଏହା ଏକ ପ୍ରକୃଷ୍ଟ ସମୟ । କାରଣ ସେ ୧୯୬୨ ମସିହାରେ ଆନକସପାର (INCOSPAR) ଗଠନ ପାଇଁ ଅର୍ଥ ମଂଜୁର କରିଥିଲେ । ଏହା ପରେ ଇସ୍ରୋ ନାମରେ ନାମିତ ହେଲା । ଡଃ ମନମୋହନ ସିଂ ମଧ୍ୟ ୨୦୦୮ରେ ଚନ୍ଦ୍ରଯାନ-୨ ପ୍ରକଳ୍ପକୁ ମଂଜୁର କରିଥିଲେ । କଂଗ୍ରେସର ଏହି ଟ୍ଵିଟକୁ ନେଇ ସେସିଆଲ ମିଡିଆ ବିଶେଷକରି ଟ୍ଵିଟରରେ ପ୍ରବଳ ସମାଲୋଚନା ଓ ପରିହାସ କରାଯାଇଛି । ତେବେ କଂଗ୍ରେସ ଆଉ ଏକ ଟ୍ଵିଟ କରି ଇସ୍ରୋକୁ ଅଭିନନ୍ଦନ ଜଣାଇଛି ।

ସମ୍ବନ୍ଧିତ ଖବର