ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍‌ ପରେ ରାଫେଲ୍‌ ଡିଲ୍‌କୁ ନେଇ ଜୋର୍‌ ଧରିଲା ରାଜନୈତିକ ବୟାନ ବାଜି

ନୂଆଦିଲ୍ଲୀ: ରାଫେଲ୍‌ ବିମାନ କ୍ରୟ ଚୁକ୍ତିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି। ଆଜି ସୁପ୍ରିମକୋର୍ଟ ରାଫେଲ୍‌ ବିମାନ କ୍ରୟ ନେଇ ଭାରତ ଓ ଫ୍ରାନ୍ସର ଡସଲ୍ଟ କମ୍ପାନି ମଧ୍ୟରେ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ ବୋଲି ରାୟ ଦେବା ସହ ସ୍ୱତନ୍ତ୍ର ଦଳ ଗଠନ କରି ଏହାର ତଦନ୍ତ କରିବା ଲାଗି ହୋଇଥିବା ଆବେଦନକୁ ଖାରଜ କରିଦେବା ପରେ ରାଜନୈତିକ ବୟାନବାଜି ଜୋର ଧରିଛି। ରାଫେଲ୍‌ ଡିଲର ସିବିଆଇ ତଦନ୍ତ ନିର୍ଦ୍ଦେଶ ଲାଗି ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତୀୟ ଜନତା ପାଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଦୁର୍ନୀତି ନେଇ ଦେଇ ଆସୁଥିବା ବୟାନ ଲାଗି କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ।

ଏହାର ଜବାବରେ କଂଗ୍ରେସ ସ୍ପଷ୍ଟ କରିଥିଲା କି ରାହୁଲ ଗାନ୍ଧି କ୍ଷମା ମାଗିବାର ପ୍ରଶ୍ନ  ହିଁ ଉଠୁନାହିଁ। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏକ ଯୁଗ୍ମ-ପାର୍ଲାମେଣ୍ଟାରି କମିଟି ଗଠନ କରାଯାଇ ରାଫେଲ ଚୁକ୍ତିକୁ ନେଇ ହୋଇଥିବା ଅନିୟମିତତାର ତଦନ୍ତ କରାଯାଇ ବୋଲି ଦାବି କରାଯାଇଛି।

କଂଗ୍ରେସର ଏହି ଦାବି ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅର୍ଥମନ୍ତ୍ରୀ ଜେଟ୍‌ଲି କହିଛନ୍ତି, ରାଫେଲ୍‌ ଡିଲର୍‌ ତଦନ୍ତ ଲାଗି ଯୁଗ୍ମ ପାର୍ଲାମେଣ୍ଟାରି କମିଟି ଏକ ପ୍ରକୃଷ୍ଟ ବ୍ୟବସ୍ଥା ନୁହେଁ। ସୁପ୍ରିମ୍‌କୋର୍ଟଙ୍କ ଭଳି ନ୍ୟାୟିକ ଅନୁଷ୍ଠାନ ଦ୍ୱାରା ହିଁ ଏହାର ତଦନ୍ତ ସମ୍ଭବ। ସେ ଏହା ମଧ୍ୟ କହିଛନ୍ତି କି ଯୁଗ୍ମ-ପାର୍ଲାମେଣ୍ଟାରି କମିଟି ଦଳୀୟ ଭିତ୍ତିରେ ବିଭାଜିତ ହେଉଥିବାରୁ ଏହା ଦ୍ୱାରା ରାଫେଲ୍‌ ଡିଲ୍‌ ତଦନ୍ତ ଆଦୌ ସୃହଣୀୟ ନୁହେଁ।

ଏଥିସହ ଦୁଇ କେନ୍ଦ୍ରମନ୍ତ୍ରୀ ଅଯଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଦୁର୍ନୀତିଗ୍ରସ୍ତ କହି ରାହୁଲ ସମାଲୋଚନା କରିବାରୁ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏଥିସହ କାଲାକୁ ଯେତେ ଜୋର୍‌ରେ କହିଲେ ବି ଶୁଣାଯାଏ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର