ରାହୁଲଙ୍କୁ କଂଗ୍ରେସ ନେତାଙ୍କ ଚ୍ୟାଲେଞ୍ଜ

ସଭାପତି ନିର୍ବାଚନ ପାରିବାରିକ ବ୍ୟାପାର ନୁହେଁ

ନୂଆଦିଲ୍ଲୀ: କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଦଳର ସଭାପତି ପଦରେ ଆସୀନ ହେବାକୁ ନେଇ ଜୋର୍‌ସୋର ପ୍ରସ୍ତୁତି ଚାଲିଥିବା ବେଳେ ଦଳର ଯୁବନେତା ଶେହଯାଦ ପୁନାଓ୍ଵାଲା ସଭାପତି ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ଅସଲରେ ଏହା ନିର୍ବାଚନ ନୁହେଁ, ଏକ ଚୟନ ଏବଂ ଗାନ୍ଧୀ ପରିବାର ସଦସ୍ୟଙ୍କ ପାଇଁ ହିଁ କଂଗ୍ରେସ ସଭାପତି ପଦ ସଂରକ୍ଷିତ ରହିଛି ବୋଲି ପୁନାଓ୍ଵାଲା ଗଣମାଧ୍ୟମକୁ କହିଛନ୍ତି। କେବଳ ରାହୁଲ ଗାନ୍ଧୀଙ୍କୁ ଯେନତେନ ପ୍ରକାରେ ସଭାପତି କରିବା ପାଇଁ ନିର୍ବାଚନର ସମସ୍ତ ପ୍ରକ୍ରିୟା ସେହି ଆଧାରରେ କରାଯାଉଥିବାରୁ ଏହାକୁ ଏକ ନିର୍ବାଚନ ବୋଲି କଦାପି କହିହେବନାହିଁ ବୋଲି ସେ କହିଛନ୍ତି। ଦଳ ଏ କ୍ଷେତ୍ରରେ ଶୃଙ୍ଖଳିତ ପ୍ରକ୍ରିୟାରେ କାମ କଲେ ସେ ମଧ୍ୟ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ତୟାର ବୋଲି ମହାରାଷ୍ଟ୍ର କଂଗ୍ରେସ ସଂପାଦକ ଶେହଯାଦ ପୁନାଓ୍ଵାଲା କହିଛନ୍ତି। ତାଙ୍କର ଏହି ବୟାନ ଦଳରେ ଝଡ଼ ସୃଷ୍ଟି କରିଥିବା ବେଳେ ଏ ସଂପର୍କରେ ରାହୁଲଙ୍କୁ ମଧ୍ୟ ପୁନାଓ୍ଵାଲା ଏକ ପତ୍ର ଲେଖି ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଂଗ୍ରେସ ଏକ ପାରିବାରିକ ବ୍ୟାପାର ଭାବେ ସଭାପତି ନିର୍ବାଚନକୁ ଗ୍ରହଣ କରିବା ଆଦୌ ଉଚିତ ହେଉନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର