ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟିର ଅନ୍ୟତମ ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୋଦୀ-୨ ସରକାରଙ୍କ ଦ୍ୱାରା ସଂସଦର ଉଭୟ ଗୃହରେ ପାରିତ ହୋଇ ଯାଇଥିବା ନାଗରିକତା ସଂଶୋଧନ ବିଲ୍କୁ ତୀବ୍ର ବିରୋଧ କରିବା ସହ ଏହାର ନିନ୍ଦା ମଧ୍ୟ କରିଛନ୍ତି।
କଂଗ୍ରେସ ନେତା ଶ୍ରୀ ସିନ୍ଧିଆ ଏକ ଟୁଇଟ୍ କରି କହିଛନ୍ତି, ‘ନାଗରିକତା ସଂଶୋଧନ ବିଲ୍ ସମ୍ବିଧାନର ମୂଳ ଭାବନାର ବିରୋଧାଚରଣ କରୁଛି। ଖାଲି ଏତିକି ନୁହେଁ ଏହା ଭାରତୀୟ ସଂସ୍କୃତିର ବିପରୀତରେ ମଧ୍ୟ ଯାଇଛି। ଭାରତୀୟ ସମ୍ବିଧାନ ଲେଖିବା ବେଳେ ସମ୍ବିଧାନ ପ୍ରଣେତା ଆମ୍ବେଦକର ଜୀ ଏହାକୁ ଜାତି ଓ ଧର୍ମ ଦୃଷ୍ଟିକୋଣରୁ ଦେଖି ନ ଥିଲେ। ଭାରତର ଇତିହାସ କହୁଛି ଯେ ଆମେମାନେ ସମସ୍ତଙ୍କୁ ଆପଣେଇ ନେଇଛୁ। ଆଉ ବସୁଧୈବ କୁଟୁମ୍ବକମ୍ ହେଉଛି ଭାରତର ବିଶେଷତା। ଧର୍ମକୁ ଆଧାର କରି ପୂର୍ବରୁ କେବେ ବି ଏପରି ହୋଇ ନଥିଲା’ ବୋଲି ବେଶ କଟୁ ଶବ୍ଦ ପ୍ରୟୋଗ କରି ନିଜ ଟୁଇଟ୍ରେ ସେ ମୋଦୀ ସରକାରଙ୍କର ସମାଲୋଚନା କରିଛନ୍ତି।
#CAB2019 संविधान की मूल भावना के ख़िलाफ़ है,भारतीय संस्कृति के विपरीत भी है। अंबेडकर जी ने संविधान लिखते समय किसी को धर्म, जात के दृष्टिकोण से नहीं देखा था।भारत का इतिहास रहा है कि हमने सभी को अपनाया है- वासुदेव कुटुंबकम भारत की विशेषता है।धर्म के आधार पर पहले कभी ऐसा नहीं हुआ।
— Jyotiraditya M. Scindia (@JM_Scindia) December 11, 2019
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଶ୍ରୀ ସିନ୍ଧିଆ ମୋଦୀ ସରକାରଙ୍କର ଜମ୍ମୁ- କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତିକୁ ସ୍ୱାଗତ କରି ଦେଶର ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ।