‌ତେଲେଙ୍ଗାନା କଂଗ୍ରେସ ନେତା ରେବନ୍ତ ଗିରଫ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକୁଳିଲେ

ହାଇଦ୍ରାବାଦ୍‌: ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିପିସିସି) କାର୍ଯ୍ୟକାରୀ ଅଧ୍ୟକ୍ଷ ଏ ରେବନ୍ତ ରେଡ୍ଡିଙ୍କୁ ଆଜି ପୁଲିସ ଗିରଫ କରିଥିଲା। ରେବନ୍ତ ଆଜି କୋଡ଼ାଙ୍ଗଲ ନିର୍ବାଚନ ମଣ୍ଡଳୀରେ କେସିଆରଙ୍କ ଏକ ଜନ ସମାବେଶକୁ ବିରୋଧ କରି ବନ୍ଦ ଡାକରା ଦେଇଥିଲେ। ଉକ୍ତ ନିର୍ବାଚନ ମଣ୍ଡଳୀରେ କେସିଆରଙ୍କୁ ବୈଠକ କରାଇ ଦେବେନାହିଁ ବୋଲି ସେ ଧମକ ଦେଇଥିଲେ। ଫଳରେ ପୁଲିସ ଆଜି ସକାଳେ ରେବନ୍ତଙ୍କୁ ତାଙ୍କ କୋଡ଼ାଙ୍ଗଲ ସ୍ଥିତ ବାସଭବନରୁ ଗିରଫ କରିନେଇଥିଲା। କିନ୍ତୁ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରେବନ୍ତଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ରେବନ୍ତଙ୍କ ପତ୍ନୀ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାନଯାଇ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିବା ପରେ ଡିଜିପି ରଜତ କୁମାର କହିଛନ୍ତି ଯେ ପ୍ରଶାସନ ଆଇନ ଅନୁଯାୟୀ କାର୍ଯ୍ୟ କରୁଛନ୍ତି ଏବଂ କେସିଆରଙ୍କ ବୈଠକକୁ ବିରୋଧ କରିବାରୁ ରେବନ୍ତଙ୍କୁ ଗିରଫ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର