ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଆଶାରାମଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ଟୁଇଟରରେ ଛାଡ଼ିଲା କଂଗ୍ରେସ

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କର ମଧ୍ୟ ଆଶାରାମଙ୍କ ସହ ଫଟୋ ଟୁଇଟରରେ ହେଲା ସେୟାର

ନୂଆଦିଲ୍ଲୀ: ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜି ଆଜୀବନ କରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ‘ଆତ୍ମଘୋଷିତ ଭଗବାନ’ ଆଶାରାମ ବାପୁ। ତେବେ, ଆଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବାପରେ ଦୁଷ୍କର୍ମକାରୀ ଆଶାରାମଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ କ୍ଲିପ୍‌କୁ କେନ୍ଦ୍ର କରି ଦେଶର ରାଜନୀତି ସରଗରମ ହୋଇଉଠିଛି। ଏହି ଭିଡିଓ କ୍ଲିପ୍‌ ଆଧାରରେ କଂଗ୍ରେସ ଏଥିରୁ ରାଜନୈତିକ ଫାଇଦା ନେବାକୁ ମଧ୍ୟ ଉଦ୍ଦ୍ୟମ କରିଛି।


ଆଜି କଂଗ୍ରେସ ତା’ର ଆଧିକାରିକ (ଅଫିସିଆଲ) ଟୁଇଟର ହ୍ୟାଣ୍ଡଲିଂରୁ ସୋସିଆଲ ମିଡିଆରେ ନାବାଳିକା ଦୁଷ୍କର୍ମକାରୀ ଆଶାରାମଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ତାରିଖ ବିହୀନ ଭିଡିଓ ଅପ୍‌ଲୋଡ୍‌ କରିବା ସହ ତା ତଳକୁ ଲେଖିଛି, ‘ଗୋଟିଏ ବ୍ୟକ୍ତିର ପରିଚୟ ହେଉଛି ତା’ର ସଙ୍ଗତ!’ ଏହି ଭିଡିଓରେ ଆଶାରାମଙ୍କ ସହ ମୋଦିଙ୍କୁ ଏକ ସମାବେଶରେ ଗୋଟିଏ ମଞ୍ଚ ଉପରେ ଏକାଠି ଦେଖିବା ପାଇଁ ମିଳୁଛି। ପରେ ମୋଦି ଆଶାରାମଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେବା ପରେ ଭାଷଣ ଦେଇ କହୁଛନ୍ତି, ‘ମୋତେ ଯେତେବେଳେ କେହି ଜାଣି ନଥିଲେ; ମୋର ଯେତେବେଳେ କିଛି ବି ହେଲେ ପରିଚିତି ନଥିଲା ସେତେବେଳ ଠାରୁ ବାପୁଙ୍କ କୃପା ଓ ଆଶୀର୍ବାଦ ମୋ ଉପରେ ରହିଛି।’ ପରେ ମଞ୍ଚ ଉପରେ ଆଶାରାମ ମୋଦିଙ୍କୁ କୁଣ୍ଢାଇ ଧରି ତାଙ୍କର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି।


ସେହିପରି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କର ନାବାଳିକା ଦୁଷ୍କର୍ମକାରୀ ଆଶାରାମଙ୍କ ସହ ଅନ୍ୟ ଏକ ଫଟୋ ମଧ୍ୟ ଆଜି ଟୁଇଟରରେ ଖୁବ୍‌ ସେୟାର ହେଉଥିବା ଦେଖିବାକୁ ମିଳିଛି। ତେବେ, ପୂର୍ବରୁ ଆଶାରାମଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା ଏବଂ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା କାଳରେ ଆଶାରାମଙ୍କୁ ଆଶ୍ରମ ପାଇଁ ଜମି ଯୋଗାଇ ଦେଇଥିଲେ ବୋଲି ନିଜେ ଖୋଦ୍‌ ଦିଗବିଜୟ ସିଂହ ସ୍ୱୀକାର କରି ସାରିଛନ୍ତି।


ଅନ୍ୟପକ୍ଷରେ ସୋସିଆଲ ମିଡିଆ ଟୁଇଟରରେ ଚାଲିଥିବା ଏପ୍ରକାରର କାରବାରକୁ ନାପସନ୍ଦ କରିବା ସହ ଏହାର ନିନ୍ଦା କରିଛନ୍ତି ବଲିଉଡ୍‌ର ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌। ଜଣେ ଅଭିଯୁକ୍ତ ବା ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ତା’ ସହ ସଂପର୍କ ରଖିବାରେ କୌଣସି ପ୍ରକାରର ଅସୁବିଧା ନାହିଁ ବୋଲି କହିଛନ୍ତି ଅଖତର୍‌।

ସମ୍ବନ୍ଧିତ ଖବର