ମୋଦୀଙ୍କୁ କଂଗ୍ରେସର ଆହ୍ଵାନ : ଲୋକସଭା ଭାଙ୍ଗି ଆଗୁଆ ନିର୍ବାଚନ କର

ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନ ନେଇ ରାଜନୀତି ସରଗରମ ହୋଇଉଠିଥିବା ବେଳେ ବିରୋଧୀ କଂଗ୍ରେସ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚାଲେଞ୍ଜ୍‌ ଦିଆଯାଇଛି। ଦମ୍‌ ଅଛି ଯଦି ଲୋକସଭା ଭାଙ୍ଗିଦେଇ ଆଗୁଆ ନିର୍ବାଚନ କରିବା ପାଇଁ ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସ ସାଧାରଣ ସଂପାଦକ ଅଶୋକ ଗେହଲଟ୍‌ କହିଛନ୍ତି, ସମ୍ବିଧାନ ଅଥବା ଆଇନ ଅନୁସାରେ ଆଗାମୀ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖି ଏହାକୁ ୨୦୧୯ ଲୋକସଭା ନିର୍ବାଚନ ସହିତ ଏକସଙ୍ଗେ କରାଇବା ଅସମ୍ଭବ ବ୍ୟାପାର। ମିଜୋରାମ୍‌, ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏଠାରେ ନିର୍ବାଚନ କରାଇବାକୁ ହେବ। ତେବେ ଏ କ୍ଷେତ୍ରରେ ଏକସଙ୍ଗେ ନିର୍ବାଚନ କରାଇବା ଲାଗି ଏକ ଉପାୟ ରହିଛି। ସରକାର ଚାହିଲେ ତାହା ସମ୍ଭବ ହୋଇପାରିବ। ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାକୁ ଭାଙ୍ଗି ଉକ୍ତ ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ସହିତ ଏକସଙ୍ଗେ ଲୋକସଭା ନିର୍ବାଚନ ଆୟୋଜନ କରିପାରିବେ। କଂଗ୍ରେସ ଏହାକୁ ସ୍ୱାଗତ କରିବ ଏବଂ ଏଥିପାଇଁ ପ୍ରସ୍ତୁତ ମଧ୍ୟ ରହିଛି ବୋଲି ସେ କହିଛନ୍ତି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ୍‌ କହିଛନ୍ତି, ଆଗୁଆ ଲୋକସଭା ଭାଙ୍ଗି ନିର୍ବାଚନ କରାଇଲେ ଦେଶରେ ଭୟ ଓ ଅସହିଷ୍ଣୁତା ବାତାବରଣର ଅନ୍ତ ଘଟିବ। ଜାତୀୟ ସ୍ୱାର୍ଥ ପାଇଁ ଏହା ଏବେ ଆବଶ୍ୟକ ହୋଇପଡ଼ିଛି। ଆଗୁଆ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଏବଂ ବିଜେପିକୁ ହରାଇବା ଲାଗି ଲଢ଼େଇ ଜୋରଦାର କରିବ।

ସମ୍ବନ୍ଧିତ ଖବର