ନିର୍ବାଚନ ପାଇଁ କଂଗ୍ରେସର ଜୋର୍‌ଦାର୍‌ ପ୍ରସ୍ତୁତି

ଆକ୍ରମଣାତ୍ମକ ପ୍ରଚାର ପାଇଁ ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ଅଭିଯାନକୁ ଜୋରଦାର କରିବ। ଏଥିପାଇଁ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀମାନଙ୍କୁ ଆକ୍ରମଣାତ୍ମକ ଶୈଳୀରେ ପ୍ରଚାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ଦଳୀୟ ସୁତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ, ପ୍ରଚାର ଅଭିଯାନରେ ନୂଆକରି କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ପାଇଥିବା ପ୍ରିୟଙ୍କା ଗାନ୍ଧିଙ୍କୁ ଦକ୍ଷିଣ ରାଜ୍ୟ ଓ ଓଡ଼ିଶାକୁ ପଠାଇବାକୁ ଦଳର ସାଧାରଣ ସମ୍ପାଦକମାନେ ରାହୁଲଙ୍କୁ ପ୍ରସ୍ତାବ ଦେଇଥିଲେ। ଦଳୀୟ ନେତାଙ୍କ ପ୍ରସ୍ତାବ ଅନୁଯାୟୀ ଶ୍ରୀ ଗାନ୍ଧି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦଳୀୟ ଟିକେଟ ବଣ୍ଟନ ବେଳେ ଯୁବ ଓ ଅନୁଭବି ନେତାଙ୍କୁ ଗୁରୁତ୍ବ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହିତ ଆଗରୁ ଦୁଇ ତିନିଥର ପରାଜିତ ହୋଇଥିବା ନେତାଙ୍କ ସ୍ଥାନରେ ନୂଆ ନେତାଙ୍କୁ ଟିକେଟ ଦେବା ନେଇ ମଧ୍ୟ ଏଆଇସିସି ଅଧ୍ୟକ୍ଷ କହିଥିଲେ। ଖୁବ୍‌ଶୀଘ୍ର ନେତାଙ୍କ ତାଲିକା ଏଆଇସିସି କାର୍ଯ୍ୟାଳୟକୁ ପଠାଇବାକୁ ପ୍ରଭାରୀମାନଙ୍କୁ ରାହୁଲ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟିର ପୁନର୍ଗଠନ କରାଯିବ। କମିଟିରେ କିଛି ନେତାଙ୍କୁ ବାଦ ଦିଆଯିବା ସହ କିଛି ନେତାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ରାଜ୍ୟମାନଙ୍କଠାରୁ ଟିକେଟ ପାଇଁ ଆସିଥିବା ନାମଗୁଡ଼ିକୁ କେନ୍ଦ୍ରୀୟ କମିଟି ଅନୁଧ୍ୟାନ କରିବା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଅନୁମୋଦନ ପାଇଁ ପଠାଇବ। ଦଳୀୟ ସୁତ୍ର ଅନୁସାରେ, କେନ୍ଦ୍ରୀୟ ମାର୍ଚ୍ଚ ପ୍ରଥମ ସପ୍ତାହରୁ କେନ୍ଦ୍ରୀୟ କମିଟି ବୈଠକ ଆରମ୍ଭ କରିବ।

ସମ୍ବନ୍ଧିତ ଖବର