କଂଗ୍ରେସକୁ ଚଡ଼କ : ଗୋଆରେ ବି ଭୁଶୁଡ଼ିଲା, ବିଜେପିରେ ସାମିଲ ହେବେ ୧୦ ବିଧାୟକ
ନୂଆଦିଲ୍ଲୀ : ଗତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଉପରେ ଗୋଟିଏ ପରେ ଗୋଟିଏ ଚଡ଼କ ପଡ଼ିବାରେ ଲାଗିଛି। କର୍ଣ୍ଣାଟକରେ ବଡ଼ ଧରଣର ବିଦ୍ରୋହର ସମ୍ମୁଖୀନ ହୋଇଥିବା କଂଗ୍ରେସକୁ ଆଜି ଗୋଆରେ ମଧ୍ୟ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସର ୧୫ ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଆଜି ଦଳ ଛାଡ଼ିଛନ୍ତି। ସେମାନେ ଆଜି ଗୋଆ ବିଧାନସଭା ବାଚସ୍ପତିଙ୍କୁ ଭେଟି ସେମାନଙ୍କୁ ସ୍ବତନ୍ତ୍ର ଗୋଷ୍ଠୀର ମାନ୍ୟତା ଦେବାକୁ ଦାବି କରିଛନ୍ତି। ଏହି େଗାଷ୍ଠୀ ବିଜେପିରେ ସାମିଲ େହବ ବୋଲି ସୂଚନା ମଧ୍ୟ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକରେ ସରକାର ରକ୍ଷା କରିବା ଲାଗି କଂଗ୍ରେସ ସଂଘର୍ଷ କରୁଥିବା ବେଳେ ଗୋଆ ଖବର ଦଳୀୟ ନେତୃତ୍ବ ପାଇଁ ଧକ୍କା ହୋଇଛି। େଗାଆରେ ବିରୋଧୀ ଦଳର ନେତା ଚନ୍ଦ୍ରକାନ୍ତ କାଭଲେକରଙ୍କ ନେତୃତ୍ବରେ ୧୦ ଜଣ ବିଧାୟକ ବିଧାନସଭା ଯାଇ ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟିଥିଲେ। ସେମାନେ କଂଗ୍ରେସରୁ ଅଲଗା ହୋଇଯାଇଛନ୍ତି ଏବଂ ଏହି ୧୦ ଜଣିଆ ଗୋଷ୍ଠୀକୁ ସ୍ବତନ୍ତ୍ର ଗୋଷ୍ଠୀର ମାନ୍ୟତା ଦେବାଲାଗି ଦାବି ଜଣାଇଛନ୍ତି। ଏହି ସମୟରେ ସେଠାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ୨୦୧୭ରେ ଅନୁଷ୍ଠିତ ୪୦ ସଭ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ଆସନ ପାଇଥିଲା। ମାତ୍ର ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ମିଳିଥିଲା। ପରବର୍ତୀ ସମୟରେ କଂଗ୍ରେସର ଦୁଇ ଜଣ ବିଧାୟକ ବିଜେପିରେ ଯୋଗଦେଇଥିଲେ। ଏବେ କଂଗ୍ରେସର ଆଉ ୧୦ ଜଣ ବିଜେପିରେ ମିଶିବାକୁ ଯାଉଛନ୍ତି। ଫଳରେ ରାଜ୍ୟ ବିଧାନସଭାରେ କଂଗ୍ରେସ ସଭ୍ୟସଂଖ୍ୟା ୧୫ରୁ ୫କୁ ଖସି ଆସିବ।
ଏହାସହିତ ବିଜେପି ସଂଖ୍ୟା ୧୭ରୁ ୨୭କୁ ବୃଦ୍ଧି ପାଇବ। ଗୋଆ ଫରୱାର୍ଡ ପାର୍ଟିର ୩ ଜଣ ଏବଂ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଠିତ ହୋଇଛି। ଏହି ୬ ଜଣ ଏବେ ମନ୍ତ୍ରୀ ଅଛନ୍ତି। ତେବେ ଖବର ମିଳିଛି ଯେ ମୁଖ୍ୟମନ୍ତ୍ରୀ ଏହି ୬ ଜଣଙ୍କୁ ବିଦା କରି ସେମାନଙ୍କ ସ୍ଥାନରେ କଂଗ୍ରେସରୁ ଆସିଥିବା ୫ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିବାକୁ ଯୋଜନା କରିଛନ୍ତି।
ଗତମାସରେ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ଏଭଳି ବିଦ୍ରୋହର ସମ୍ମୁଖୀନ ହୋଇଥିଲା ଏବଂ ଦଳର ୧୮ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ଟିଆର୍ଏସ୍ରେ ସାମିଲ ହୋଇଥିଲେ। କର୍ଣ୍ଣାଟକ ସଙ୍କଟରୁ ମୁକୁଳିବା ପାଇଁ କଂଗ୍ରେସ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ବେଳେ ଏବେ ଗୋଆରେ ନୂଆ ସଙ୍କଟ ଚିନ୍ତାର କାରଣ ହୋଇଛି।