ମୋଦୀଙ୍କ ମୁଖା ପିନ୍ଧି ଚା’ ବିକିଲେ କଂଗ୍ରେସ କର୍ମୀ

ମୁମ୍ବାଇ: ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଝଟ୍‌କା ଲାଗିଥିବା ବେଳେ କଂଗ୍ରେସ ୩ଟି ପ୍ରମୁଖ ରାଜ୍ୟରେ ବିଜେପି ଗଡ଼ ଭାଙ୍ଗି ନିଜ ବିଜୟକୁ ପକ୍କା କରିନେଇଛି। ଏଥିପାଇଁ ଦଳ ପକ୍ଷରୁ ଦେଶବ୍ୟାପୀ ଉତ୍ସବ ପାଳନ କରାଯାଉଛି। ତେବେ କିଛି କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ଅଜବ ଢଙ୍ଗରେ ଅପମାନ କରିଛନ୍ତି। ବିଜୟ ଉତ୍ସବ ବେଳେ ଦଳର କିଛି କର୍ମକର୍ତ୍ତା ମୋଦୀ ଓ ଶାହଙ୍କ ମୁଖା ପିନ୍ଧି ଚା’ ବିକୁଥିବାର ଦେଖିବାକୁ ମିଳିଛି। ଏମିତି କି ଏହି ଫଟୋକୁ ସେମାନେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ମଧ୍ୟ କରାଇଛନ୍ତି। ଏହି ଉତ୍ସବରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ଝିଅ ତଥା ମହାରାଷ୍ଟ୍ରର ସୋଲାପୁର ବିଧାୟକ ପରିଣୀତି ସିନ୍ଦେ ଉପସ୍ଥିତ ଥିଲେ। ସୋସିଆଲ୍ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ ବୁଧବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଟ୍ବିଟ୍‌ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଅତି ସାଧାରଣ ଭାବେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସାଧାରଣ ଲୋକରୁ ଅସାଧାରଣ ନେତା ପାଲଟିଥିଲେ ସେ। କିନ୍ତୁ ଆଜିର ଏହି ଅହଂକାରୀ ନେତାମାନେ ତାଙ୍କୁ ଅପମାନ କରୁଛନ୍ତି। ମୋଦୀଙ୍କ ପ୍ରତି ସେମାନଙ୍କ ମନରେ କେଉଁପ୍ରକାର ଭାବନା ରହିଛି ଏବଂ କି ମାନସିକତା ରହିଛି, ତାହା ସେମାନେ ଆଜି ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର