ତେଲେଙ୍ଗାନାରେ କଂଗ୍ରେସ-ଟିଡିପି-ସିପିଆଇ ମେଣ୍ଟ:ରାଷ୍ଟ୍ରପତି ଶାସନ ପାଇଁ ଦାବି କଲେ

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ଭଙ୍ଗ ହୋଇଥିବାରୁ ଚଳିତ ବର୍ଷ ଶେଷ ଆଡ଼କୁ ସେଠାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ରାଜ୍ୟରେ କାମଚଳା ସରକାରକୁ ବିରୋଧ କରି ଏବେ କଂଗ୍ରେସ, ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି ଏବଂ ସିପିଆଇ ଏକ ମେଣ୍ଟ ଗଠନ କରିଛନ୍ତି। ଏହି ତିନି ଦଳର ନେତା ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟକୁ ରାଷ୍ଟ୍ରପତି ଶାସନରେ ରଖିବା ଉଚିତ ହେବ ବୋଲି ସେମାନେ ଦୃଢ଼ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ କେ. ଚନ୍ଦ୍ର ଶେଖର ରାଓ ତାଙ୍କ ପଦରେ ରହିଲେ ରାଜ୍ୟରେ ମୁକ୍ତ ଏବଂ ଅବାଧ ନିର୍ବାଚନ ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। ତେଲେଙ୍ଗାନାରେ ବଳପୂର୍ବକ ଆଗୁଆ ନିର୍ବାଚନ ବୋଝ ଲଦି ଦିଆଯାଇଛି ବୋଲି ଦର୍ଶାଇ ସେମାନେ ସୁପ୍ରିମ୍‌୍‌ କୋର୍ଟଙ୍କ ମଧ୍ୟ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ କରାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ କେସିଆର୍‌ ଗତ ସପ୍ତାହରେ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିଥିଲେ। ନିର୍ବାଚନ ପାଇଁ ପ୍ରାୟ ଗୋଟିଏ ବର୍ଷ ଥିବା ବେଳେ ବହୁ ଆଗରୁ ବିଧାନସଭା ଭଙ୍ଗ ସୁପାରିସ କେବଳ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ କରାଯାଇଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ, ଟିଡିପି ଏବଂ ସିପିଆଇ ନେତାମାନେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସଲାସୁତରାରେ କେସିଆର ଏଭଳି କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆଗାମୀ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବା ପାଇଁ ଟିଡିପି ପ୍ରସ୍ତୁତ ଥିବା ଆଜି ସଙ୍କେତ ଦେଇଛି।

ସମ୍ବନ୍ଧିତ ଖବର