ପ୍ରିୟଙ୍କା ମଧ୍ୟ ନିର୍ଯାତନାର ଶିକାର ହୋଇଥିଲେ: ବିଜେପି

ନୂଆଦିଲ୍ଲୀ: ଭାରତ ମହିଳାଙ୍କ ପାଇଁ ସବୁଠୁ ଅସୁରକ୍ଷିତ ବୋଲି ନିକଟରେ ଥମସନ୍‌ ରଏଟର୍ସ ଫାଉଣ୍ଡେସନ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। କେନ୍ଦ୍ର ସରକାର ଏହି ରିପୋର୍ଟକୁ ଭିତ୍ତିହୀନ ଦର୍ଶାଇବା ପରେ ସମ୍ପୃକ୍ତ ଫାଉଣ୍ଡେସନ୍‌କୁ ସମାଲୋଚନା କରିଥିଲେ। ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ରିପୋର୍ଟକୁ ଆଧାର କରି ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ଆଜି ବିଜେପି ମଧ୍ୟ ଏହାର ଜବାବ ରଖିଛି। ବିଜେପିର ଜାତୀୟ ମୁଖପାତ୍ର ମୀନାକ୍ଷୀ ଲେଖି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କାଠୁଆ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ ଦ୍ୱାରା ହୋଇଥିବା ପ୍ରତିବାଦ ସମୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିର୍ଯାତନାର ଶିକାର ହୋଇଥିଲେ। ଲେଖି ଆଜି ଜଣେ କଂଗ୍ରେସ କର୍ମୀ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ମଧ୍ୟ କହିଛନ୍ତି। କଂଗ୍ରେସ କର୍ମୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ ଏଫଆଇଆର ରଖିବା ପାଇଁ ଲେଖି ଆଜି ଦିଲ୍ଲୀ ପୁଲିସକୁ ଅନୁରୋଧ କରିଛନ୍ତି। ଲେଖି କହିଛନ୍ତି ଯେ କଂଗ୍ରେସ ଦଳର ଜଣେ ପୂର୍ବତନ ସୋସିଆଲ ମିଡିଆ ଟିମ୍‌ ସଦସ୍ୟ ତାଙ୍କ ସହକର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ତେବେ ଏହି ମାମଲାରେ ଦିଲ୍ଲୀ ପୁଲିସକୁ ଏଫଆଇଆର ରୁଜୁ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଥମସନ୍‌ ରଏଟର୍ସ ରିପୋର୍ଟ ପ୍ରକାଶ ପାଇବା ପରେ ରାହୁଲ ମୋଦିଙ୍କୁ ସମାଲୋଚନା କରି ଏକ ଟ୍ଵିଟ୍‌ ମାଧ୍ୟମରେ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ତାଙ୍କ ବଗିଚାରେ ଯୋଗ ଭିଡିଓ କରୁଥିବା ବେଳେ ଦେଶ ଆଫଗାନିସ୍ତାନ, ସିରିୟା ଏବଂ ସାଉଦି ଆରବକୁ ପଛରେ ପକାଇ ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ହୋଇଛି। ଏହା ଆମ ଦେଶ ପାଇଁ ବଡ଼ ଲଜ୍ଜାର ବିଷୟ ବୋଲି ରାହୁଲ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର