ଗରିବ ଭିତ୍ତିରେ ଉଚ୍ଚବର୍ଗର ପ୍ରାର୍ଥୀଙ୍କୁ ସଂରକ୍ଷଣ ଦେବାକୁ ତାମିଲନାଡୁ ସରକାରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ଉଚ୍ଚ ଜାତିର ଗରିବ ପ୍ରାର୍ଥୀମାନଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବାକୁ ମାଡ଼୍ରାସ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ତଥାକଥିତ ଉଚ୍ଚ ଜାତି ବା ସମ୍ପ୍ରଦାୟର ଗରିବ ମାନେ ଦୀର୍ଘ ଦିନ ହେବ ଅବହେଳିତ ହୋଇ ଆସୁଛନ୍ତି। ସାମାଜିକ ନ୍ୟାୟ ନାମରେ ପ୍ରତିବାଦ ଉଠିବା ଭୟରେ କେହି ଏଥିରେ ମୁଣ୍ଡ ଖେଳାଉ ନାହାଁନ୍ତି। ସାମାଜିକ ନ୍ୟାୟ କେବଳ ଗୋଟିଏ ବର୍ଗରେ ସୀମିତ ହେବା କଥା ନୁହେଁ, ଏହା ସମାଜର ସବୁ ବର୍ଗ ପାଇଁ ପ୍ରଯୁଜ୍ୟ ହେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ୍‌ କିରୁବାକରନ୍‌ କହିଛନ୍ତି।
ଜଷ୍ଟିସ ଏନ୍‌ କିରୁବାକରନ୍‌ କହିଛନ୍ତି ଯେ ଗରିବ ଉଚ୍ଚ ବର୍ଗର ଲୋକଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା ଘଟଣା ଅନ୍ୟ ବର୍ଗ ଯେଉଁ ସଂରକ୍ଷଣ ସୁବିଧା ପାଉଛନ୍ତି ତାର ବିରୋଧାଭାସ କରୁ ନାହିଁ। କୋର୍ଟ ଅନୁଭବ କରୁଛି ଯେ ପ୍ରତି ସମ୍ପ୍ରଦାୟରେ ଗରିବ ଲୋକ ରହିଛନ୍ତି। ସେମାନଙ୍କ ଶିକ୍ଷାଗତ, ଆର୍ଥିକ ଓ ସାମାଜିକ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜରୁରି।
ଜଷ୍ଟିସ ଏନ୍‌ କିରୁବାକରନ୍‌ କହିଛନ୍ତି ଜଣେ ଉଚ୍ଚବର୍ଗର ହେଉ କିମ୍ବା ନିମ୍ନ ବର୍ଗର, ଜଣେ ଗରିବର ପରିଚୟ କେବଳ ଗରିବ।ଏହି ଗରିବ ଲୋକଙ୍କ ଉତ୍‌ଥାନ ପାଇଁ ସରକାର ସହଯୋଗର ହାତ ବଢ଼ାଇବା ଉଚିତ। କେବଳ ଆର୍ଥିକ ସହାୟତା ନ ଦେଇ ଗରିବ ଆଧାରରେ ଶିକ୍ଷା, ଓ ଚାକିରି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଦିଆଯିବା ଉଚିତ।


ଜଷ୍ଟିସ ଏନ୍‌ କିରୁବାକରନ୍‌ ତାମିଲନାହଉ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସରକାର ଆର୍ଥିକସ୍ଥିତି ଭିତ୍ତିରେ ଉଚ୍ଚ ବର୍ଗର ଯୁବକମାନଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ଯୋଜନା କରନ୍ତୁ। ସୂଚନାଯୋଗ୍ୟ ଯେ ତାମିଲନାଡୁରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖିବା ପ୍ରସଙ୍ଗରେ ୧୪ ଜଣ ଛାତ୍ରଛାତ୍ରୀ ଭାରତୀୟ ସମ୍ବିଧାନର ଧାର ୧୪ ଅନୁଯାୟୀ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ ସମଗ୍ର ରାଜ୍ୟରେ ୨୨ଟି ମେଡିକାଲ କଲେଜ ରେ ୨୬୫୧ଟି ମେଡକାଲ ସିଟ୍‌ ଥିବା ବେଳେ ସେଥିମଧ୍ୟରୁ ୩୧ ପ୍ରତିଶତ ଓପନ କାଟାଗୋରି ରହିଛି। ୨୬ ପ୍ରତିଶତ ବିସି, ୪ ପ୍ରତିଶତ ବିସି(ମୁସଲିମ),୨୦ ପ୍ରତିଶତ ଏମବିସି, ୧୮ ପ୍ରତିଶତ ଏସସି ଓ ୧ ପ୍ରତିଶତ ଏସଟି ପାଇଁ ସଂରକ୍ଷିତ ରଖାଯାଇଛିି। ଏହି ଆଧାରରେ ଓପନ କାଟାଗୋରିରେ ଥିବା ୮୨୨ଟି ସିଟ୍‌ ମଧ୍ୟରୁ ଉଚ୍ଚ ବର୍ଗର ମାତ୍ର ୧୯୪ ପ୍ରାର୍ଥୀ ( ମାତ୍ର ୭.୩୧ ପ୍ରତିଶତ) ଏହି କାଟୋଗୋରିରେ ନାମ ଲେଖାଇବାକୁ ସୁଯୋଗ ପାଇଥିବା ବେଳେ ସରଂକ୍ଷିତ ବର୍ଗରୁ ୬୨୮ ପ୍ରାର୍ଥୀ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇ ଓପନ କାଟାଗୋରିରେ ନାମ ଲେଖାଇଛନ୍ତି। ଫଳରେ ସେମାନେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଦର୍ଶାଇ ମେଡିକାଲ କାଉନ୍‌ସିଲର ନିର୍ଦ୍ଦେଶକଙ୍କୁ ଓପନ କାଟାଗୋରି ଛାତ୍ରଛାତ୍ରୀଙ୍କ ପାଇଁ ପୁନଃକାଉନସିଲିଂ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ କରିଥିବା ଆବେଦନ ପରିପ୍ରେକ୍ଷୀରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର