୮୦ କୋଟି ଲୋକଙ୍କୁ ୨ ଟଙ୍କାରେ ଗହମ, ୩ ଟଙ୍କାରେ ଚାଉଳ
କେନ୍ଦ୍ର ସରକାର ଅଧୀନରେ ଠିକାରେ କାମ କରୁଥିବା ଶ୍ରମିକଙ୍କୁ ଦରମା ମିଳିବ
ନୂଆଦିଲ୍ଲୀ : କରୋନା ଭାଇରସ୍ ବିରୋଧରେ ଲଢ଼ୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ କେନ୍ଦ୍ର ସରକାର ଆଜି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦେଶର ୮୦ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସରକାର ୨ ଟଙ୍କାରେ ଗହମଳ ଏବଂ ୩ ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଡାଉନ୍ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବାରେ ଯେଭଳି କୌଣସି ସମସ୍ୟା ନ ସୃଷ୍ଟି ନହେବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ସରକାର ଲୋକଙ୍କୁ ୩ ମାସର ରାସନ ଆଗୁଆ ଦେବେ। ଦେଶର ୮୦ କୋଟି ଲୋକଙ୍କୁ ଏହି ରାସନ ମିଳିବ। କୌଣସି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି। ୨୧ ଦିନ ପାଇଁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଅଙ୍କୁଶ ଲାଗିବନାହିଁ ଏବଂ ସରକାର ଏହାକୁ ସୁନିଶ୍ଚିତ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଇଥିବାରୁ ଲୋକେ ଭୟରେ କିଣାକିଣି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ରାଜ୍ୟମାନଙ୍କୁ ଆଗୁଆ ରାସନନ୍ ସାମଗ୍ରୀ ପଠାଇବା ବ୍ୟବସ୍ଥା ହୋଇଛି ବୋଲି ଜାଭଡ଼େକର ସୂଚନା ଦେଇଛନ୍ତି। ସମସ୍ତ ରାସନ ଦୋକାନ ସହିତ ଫଳ ଓ ପରିବା ଦୋକାନ ମଧ୍ୟ ଯଥାରୀତି ଚାଲୁ ରହିବ ଏବଂ ଏଥିପାଇଁ ଲୋକେ ଆଦୌ ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଲକ୍ଡାଉନ୍ ଯୋଗୁଁ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ସଂସ୍ଥାମାନେ କାର୍ଯ୍ୟରତ ଅଛନ୍ତି। ଲକ୍ଡାଉନ୍କୁ କଡ଼ାକଡ଼ି ଲାଗୁ କରିବା ପାଇଁ ସବୁ ରାଜ୍ୟରେ ପୁଲିସ ବାହିନୀ ତତ୍ପରତାର ସହ କାର୍ଯ୍ୟ କରୁଛି। ଆଇନ ଉଲ୍ଲଂଘନ ମାମଲାରେ ଦିଲ୍ଲୀ, ପଂଜାବ, ତାମିଲନାଡ଼ୁ ଆଦି ରାଜ୍ୟରେ ୧୦ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।
ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍କୁ କଡ଼ାକଡ଼ି ପାଳନ କରିବାପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଳୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ସରକାର ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି। ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଲକ୍ଡାଉନ୍ ସଂକ୍ରାନ୍ତ ନିର୍ଦ୍ଦେଶ ଉଲ୍ଲଂଘନ କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ଜରିମାନା ଲାଗୁ ହେବ।