ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର ପ୍ରଦେଶରେ ପିଲାମାନଙ୍କୁ ଦିଆଯାଇଛି ସଂକ୍ରମିତ ପୋଲିଓ ଟିକା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସହ ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ପିଲାମାନଙ୍କୁ ଟାଇପ୍‌-ଟୁ ପୋଲିଓଭାଇରସ୍‌ ଦ୍ୱାରା ସଂକ୍ରମିତ ପୋଲିଓ ବୁନ୍ଦା ଦିଆଯାଇଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଶ୍ଚିତ କରିଛି।

ଗାଜିଆବାଦର ଏକ ଔଷଧ କମ୍ପାନି ସେ ପୋଲିଓ ଟିକା ଭାଏଲ୍‌ ପ୍ରସ୍ତୁତି କରିଥିଲା।

ସଂକ୍ରମିତ ଟିକା ଦିଆଯାଇଥିବା ପିଲାମାନଙ୍କୁ ଚିହ୍ନଟ କରି ତାଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ଉପରେ ଦୃଷ୍ଟି ରଖିବାକୁ ତିନିଟି ରାଜ୍ୟର ପୋଲିଓ ସର୍ଭିଲାନ୍‌ସ୍‌ ଟିମ୍‌ମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉପଦେଶନାମା ଜାରି କରିଛି। ଭୂତାଣୁ କେମିତି ଆଚରଣ ପ୍ରଦର୍ଶନ କରୁଛି ତାହା ଲକ୍ଷ୍ୟ କରିବାର କଥା ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ଟିକାର କିଛି ବ୍ୟାଚ୍‌ ସଂକ୍ରମିତ ହେବା ଘଟନାର ତଦନ୍ତ କରିବାକୁ ସରକାର ଏକ କମିଟି ଗଠନ କରିଛନ୍ତି। ଟାଇପ୍‌-ଟୁ ପୋଲିଓଭାଇରସ୍‌ ସମଗ୍ର ବିଶ୍ୱର ଉଠାଇ ଦିଆଯାଇଛି।

ଏ ପର୍ଯ୍ୟନ୍ତ କେବଳ ଗୋଟିଏ ଛେକର ୫୦ ହଜାର ଭାଏଲ୍‌ ଟାଇପ୍‌-ଟୁ ପୋଲିଓଭାଇରସ୍‌ ସଂକ୍ରମିତ ହୋଇ ଥିବା ଜଣାପଡ଼ିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଆଉ ଦୁଇଟି ବ୍ୟାଚ୍‌ର ୧ ଲକ୍ଷ ଭାଏଲ୍‌ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି।
ଉତ୍ତର ପ୍ରଦେଶର କିଛି ଶିଶୁଙ୍କ ମଳ ନମୁନାରେ ଏହି ଭୂତାଣୁର ଲକ୍ଷଣ ଦେଖାଯିବାରୁ ଟିକା ସଂକ୍ରମିତ ହୋଇଛି ବୋଲି ଜଣାପଡ଼ିଥିଲା।

ଟିକା ଯୋଗାଇଥିବା ବାୟୋମେଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର