ପୁଣି ସବୁଠାରୁ ଧନୀ ଭାରତୀୟ ହେଲେ ମୁକେଶ ଅମ୍ବାନି; କ୍ରମାଗତ ୧୧ଥର ଲାଗି ଫୋର୍ବସ ତାଲିକାରେ ୧ ନମ୍ବର ସ୍ଥାନ ବଜାୟ ରଖିଲେ

 

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ଭାବେ ୧୧ଥର ଲାଗି ସବୁଠାରୁ ଧନୀ ଭାରତୀୟ ବିବେଚିତ ହୋଇଛନ୍ତି। ୨୦୧୮ ବର୍ଷ ଲାଗି ଫୋର୍ବସ ମାଗାଜିନ୍‌ ପକ୍ଷରୁ ପ୍ରକାଶିତ ଧନୀ ତାଲିକାରେ ମୁକେଶ ଅମ୍ବାନୀ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ତାଙ୍କ ପୂରା ସଂପତ୍ତିର ମୂଲ୍ୟ ୪୭.୩ ବିଲିୟନ୍‌ ଆମେରିକୀୟ ଡଲାର୍‌ ରହିଛି। ଗତ ବର୍ଷ ମଧ୍ୟରେ ସଂପତ୍ତିରେ ୯.୩ ବିଲିୟନ୍‌ ଡଲାର୍‌ ବୃଦ୍ଧି ଘଟିଛି।

ଫୋବର୍ସ ଇଣ୍ଡିଆ ଧନୀ ତାଲିକା-୨୦୧୮ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓ୍ଵିପ୍ରୋର ଅଧ୍ୟକ୍ଷ ଅଜିମ୍‌ ପ୍ରେମ୍‌ଜୀ। ଗତ ବର୍ଷ ତାଙ୍କ ସଂପତ୍ତିରେ ୨ ବିଲିୟନ୍‌ ଆମେରିକୀୟ ଡଲାର୍‌ ବୃଦ୍ଧି ଘଟିଛି। ସେହିପରି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ। ତାଙ୍କ ସଂପତ୍ତି ବର୍ଷକ ମଧ୍ୟରେ ୧.୮ ବିଲିୟନ୍‌ ଡଲାର ବୃଦ୍ଧି ପାଇଛି। ଅଜିମ୍‌ ପ୍ରେମ୍‌ଜୀ ଓ ଲକ୍ଷ୍ମୀ ମିତ୍ତଲଙ୍କ ସଂପୂର୍ଣ୍ଣ ସଂପତ୍ତି ଯଥାକ୍ରମେ ୨୧ ବିଲିୟନ୍‌ ଡଲାର୍‌ ଓ ୧୮.୩ ବିଲିୟନ୍‌ ଡଲାର୍‌ ରହିଛି।

୧୮ ବିଲିୟନ୍‌ ଡଲାର୍‌ ସଂପତ୍ତି ସହ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ହିନ୍ଦୁଜା ଭ୍ରାତା ଥିବା ବେଳେ ତାଙ୍କ ପଛକୁ ପାଲୋଞ୍ଜି ଇଣ୍ଡଷ୍ଟ୍ରି(୧୫.୭ ବିଲିୟନ୍‌ ଡଲାର୍‌), ଗୋଦ୍‌ରେଜ୍‌ ପରିବାର (୧୪ ବିଲିୟନ୍‌ ଡଲାର୍‌), ଦିଲ୍ଲୀପ ସିଂଘଭି(୧୨.୬ବିଲିୟନ୍‌ ଡଲାର୍‌), ଏବଂ ଗୌତମ୍‌ ଆଦାନି (୧୧.୯ ବିଲିୟନ୍‌ ଡଲାର୍‌) ରହିଛନ୍ତି।

ସମ୍ବନ୍ଧିତ ଖବର