ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଜିନ୍ନାଙ୍କ ଫଟୋକୁ ନେଇ ବିବାଦ ତେଜିଲା

ଆଲିଗଡ଼ : ଉତ୍ତରପ୍ରଦେଶର ଆଲିଗଡ଼ଠାରେ ଥିବା ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଏଏମୟୁ)ରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋଚିତ୍ର ଲଗାଯିବା ଘଟଣାକୁ ନେଇ ଉତ୍ତେଜନା ବ୍ୟାପୀବାରେ ଲାଗିଛି । ବୁଧବାରଦିନ କେତେକ ହିନ୍ଦୁବାଦୀ ସଂଗଠନ ହିନ୍ଦୁ ଯୁବାବାହିନୀ ଓ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀ ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଭିତରକୁ ପଶିବାକୁ ଉଦ୍ୟମ କରିବା ପରେ ଛାତ୍ରଛାତ୍ରୀମାନେ ତାହାର ବିରୋଧ କରିଥିଲେ । ଏହାର ବିରୋଧରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ପରିସ୍ଥିତି ଖରାପ ହେବାରୁ ପୁଲିସକୁ ବାଧ୍ୟ ହୋଇ ଲାଠିଚାର୍ଜ କରିବାକୁ ପଡିଥିଲା ।
ବିଶ୍ୱ ବିଦ୍ୟାଳୟରେ ଏହି ଫଟୋ ଚିତ୍ରଟି ଗତ ୧୯୩୮ ମସିହାରୁ ଲାଗିଛି । ବିଶ୍ୱ ବିଦ୍ୟାଳୟ ଛାତ୍ର ସଂଗଠନର ନିୟମ ଅନୁସାରେ ଅବିଭକ୍ତ ଭାରତର ବିଶିଷ୍ଟ ନେତା ଯେଉଁମାନେ ଏହି ବିଶ୍ୱବିଦ୍ୟାଳୟ ଗ୍ରସ୍ତରେ ଆସିଛନ୍ତି ସେମାନଙ୍କ ଫଟୋ ଲଗାଯାଇଥାଏ । ଏଣୁ ଏହି ଫଟୋ ହଟା ଯିବ ନାହିଁ ବୋଲି ଛାତ୍ର ସଂସଦ ସଭାପତି ମସକୁର ଅହମଦ ଉସମାନୀ କହିଛନ୍ତି ।

ଆଲିଗଡ଼ର ବିଜେପି ଏମପି ସତୀଶ ଗୌତମ ଏହି ଫଟୋ ରହିବାର ଯୌକ୍ତିକତା ସଂପର୍କରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ପତ୍ର ଲେଖିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର