ଘରୋଇ କମ୍ପାନି ଲାଲକିଲ୍ଲାକୁ ପୋଷ୍ୟଗ୍ରହଣ କରିବାକୁ ନେଇ ବିବାଦ

ନୂଆଦିଲ୍ଲୀ : ଡାଲମିଆ ଭାରତ ଲିମିଟେଡ୍‌ ପକ୍ଷରୁ ଦିଲ୍ଲୀର ଲାଲ୍‌କିଲ୍ଲାକୁ ପୋଷ୍ୟ ଗ୍ରହଣ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । କଂଗ୍ରେସ ସମେତ ବିରୋଧୀଦଳମାନେ ଏହାକୁ ବିରୋଧ କରିବା ସହ ସରକାର ଐତିହାସିକ କିର୍ତ୍ତିରାଜିର ଘରୋଇକରଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।  ତେବେ ଏହି ପଦକ୍ଷେପକୁ ସମର୍ଥନ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ଏଥିରେ କୌଣସି ଲାଭଜନକ କାରବାର ହୋଇନାହିଁ । ସରକାରଙ୍କ ‘ଆଡପ୍ଟ ଏ ହେରିଟେଜ ସ୍କିମ’ ଅନୁସାରେ ଡାଲମିଆ ଭାରତ କମ୍ପାନି ଆସନ୍ତା ୫ ବର୍ଷ ପାଇଁ ଲାଲକିଲ୍ଲାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । ଏଥିପାଇଁ କମ୍ପାନି ବର୍ଷକୁ ୫ କୋଟି ହିସାବରେ ମୋଟ ୨୫ କୋଟି ବ୍ୟୟ କରିବ । ଏହି ଯୋଜନା ଅନୁସାରେ ଡାଲମିଆ ଭାରତ ପର୍ଯ୍ୟଟନ ସୁବିଧାସୁଯୋଗର ବିିକାଶ ଓ ବ୍ୟବସ୍ଥା ନିର୍ମାଣ, ଲ୍ୟାଣ୍ଡସ୍କେପ୍‌, ଲାଇଟିଂ ଓ ରକ୍ଷଣାବେକ୍ଷଣ କରିବ। ସେଥି ମଧ୍ୟରେ ରହିଛି ବିଭିନ୍ନ ମୌଳିକ ଓ ଅତ୍ୟାଧୁନିକ ସୁବିଧାସୁଯୋଗ ଯଥା ଜନ ସାଧାରଣଙ୍କ ପାଇଁ ସୁବିଧା, ଶୁଦ୍ଧ ପାନୀୟ ଜଳ, କୀର୍ତିରାଜିର ପରିଚ୍ଛନ୍ନତା, ସମସ୍ତେ ଯେଭଳି ପହଞ୍ଚିପାରିବେ, ସାଇନେଜ୍‌, କ୍ଲୋକ୍‌ ରୁମ୍‌ ସୁବିଧା, ପ୍ରଦୀପକ ଓ ରାତି ଦର୍ଶନ, ନିରୀକ୍ଷଣ ବ୍ୟବସ୍ଥା, ପର୍ଯ୍ୟଟକଙ୍କୁ ସୁବିଧା ତଥା ଇଣ୍ଟରପ୍ରିଟେସନ୍‌ କେନ୍ଦ୍ର ହେଉଛି ଅନ୍ୟତମ। ଏହା ବ୍ୟତୀତ ଡାଲମିଆ ଭାରତ ପକ୍ଷରୁ ପରିଦର୍ଶନକାରୀଙ୍କ ପାଇଁ ପ୍ରମୁଖ ସୁବିଧା ସୁଯୋଗ ଯଥା ଆପ୍‌ ଭିତ୍ତିକ ବହୁଭାଷୀ ଅଡିଓ-ଗାଇଡ୍‌, ଡିଜିଟାଲ୍‌ ଇଣ୍ଟରଆକ୍ଟିଭ୍‌ କିଓସ୍କ, ଡିଜିଟାଲ୍‌ (ଏଲ୍‌ଇଡି) ସ୍କ୍ରିନିଂ, ମାଗଣା ୱାଇ-ଫାଇ ଓ କାଫେଟେରିଆ ସହିତ ସ୍ମରଣିକା ଦୋକାନ ରହିଛି ଯାହା ସ୍ଥାନୀୟ କଳା ଓ କଳାକୃତିର ପ୍ରଚାର ପ୍ରସାର କରିବ। ଦିବ୍ୟାଙ୍ଗମାନେ ଯେଭଳି ସୁବିଧାରେ ପହଂଚିପାରିବେ ତାହାକୁ ଦୃଷ୍ଟିରେ ରଖି ଏଠାରେ ର‍୍ୟାମ୍ପ୍‌ ଓ ଦିବ୍ୟାଙ୍ଗ ପାଇଁ ଶୌଚାଳୟ ନିର୍ମାଣ କରାଯିବ ।

 

ସମ୍ବନ୍ଧିତ ଖବର