ବିରୋଧରେ ଆଗରେ ମୁଣ୍ଡ ନୁଆଁଇଲେ ବସୁନ୍ଧରା ସରକାର, ବିବାଦୀୟ ବିଲ୍‌ ସିଲେକ୍ଟ କମିଟିକୁ ଗଲା

ନୂଆଦିଲ୍ଲୀ: ରାଜସ୍ଥାନ ସରକାରୀ ଅଧିକାରୀ, ବିଧାୟକ, ସାଂସଦ,  ଏବଂ ବିଚାରପତିମାନଙ୍କୁ  ସେମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗ ମାମଲାରେ ସୁରକ୍ଷା ଦେବାକୁ  ଆଣିଥିବା ବିବାଦୀୟ ବିଲ୍‌କୁ ନେଇ ଘୋର ଅଡ଼ୁଆରେ ପଡ଼ିଛନ୍ତି। ଏହି ବିଲ୍‌କୁ ବିଧାନସଭାରେ ଆଗତ କରିବା ପୂର୍ବରୁ  ବିରୋଧୀ ଦଳ ଏବଂ ଗଣମାଧ୍ୟମର ପ୍ରବଳ ବିରୋଧ ଯୋଗୁଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବିଲ୍‌ ଆଗତ ନିଷ୍ପତ୍ତିରୁ ଓହରିଛନ୍ତି ଏବଂ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇ ଦେଇଛନ୍ତି। ପର୍ଯ୍ୟାୟକ୍ରମେ ଏହି ବିଲ୍‌ ଶୀତଳ ଭଣ୍ଡାରକୁ ଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ବିଲ୍‌ ବାବଦରେ ଗଠନମୂଳକ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି ଏବଂ ଏହା ଏକ ଅତ୍ୟାଚାରୀ ବ୍ୟବସ୍ଥା ହୋଇଥିବାରୁ ଏହାକୁ ସବୁ ପ୍ରକାରେ ବିରୋଧ କରାଯିବ ବୋଲି କହିଛି।   ବିଚାରପତି, ସରକାରୀ ଅଧିକାରୀ ଓ ନେତାଙ୍କୁ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ମତପ୍ରକାଶର ଅଧିକାର ଉପରେ ଆକ୍ରମଣ ବୋଲି ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ମତ ଦେବା ସହ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ସରକାରଙ୍କ ଅଡ଼ୁଆ ବଢ଼ିଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ରାଜସ୍ଥାନ ବିଧାନସଭା ଅଧିବେଶନରେ  ସରକାର ଏ ବାବଦ ବିଲ୍‌ ଆଗତ  କରିବାକୁ ସମସ୍ତ ପ୍ରସ୍ତୁତି ଚଳାଇଥିଲେ । ତେବେ ଏହାକୁ ପ୍ରବଳ ବିରୋଧ ଏବଂ ଦଳ ଭିତରେ ମଧ୍ୟ ଅସନ୍ତୋଷ ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ବଦଳାଇବାକୁ  ବାଧ୍ୟ ହୋଇଥିଲେ।

ସରକାରଙ୍କ ଏହି ନୂତନ ଆଇନରେ ସିଆରପିସିରେ ସଂଶୋଧନ ଆଣି କଠୋର ଆଇନ କାର୍ଯ୍ୟକାରୀ କରାଯିବାକୁ ଯୋଜନା ହୋଇଥିଲା, ଯେଉଁଥିରେ କି ସରକାରଙ୍କ ବିନା  ଅନୁମୋଦନରେ  ନେତା ଓ ବାବୁମାନଙ୍କ ବିରୋଧରେ  କୌଣସି ମାମଲା ଦାଏର ହୋଇପାରିବ ନାହିଁ। ପୂର୍ବ ଭଳି ଆଉ ଏଫ୍‌ଆଇଆର୍‌ ରୁଜୁ ହୋଇପାରିବ ନାହିଁ ଏବଂ ଗଣମାଧ୍ୟମ ମଧ୍ୟ ଏ ସଂକ୍ରାନ୍ତ ରିପୋର୍ଟ ଛାପିବାକୁ ସକ୍ଷମ ହେବନାହିଁ । ଏହି ନୂତନ ଆଇନ ଅନୁଯାୟୀ କୌଣସି ବିଚାରପତି କିମ୍ବା ସରକାରୀ ଅଫିସର ଡ୍ୟୁଟି ସମୟରେ କରିଥିବା କୌଣସି କାର୍ଯ୍ୟ ବିରୋଧରେ  ସିଧାସଳଖ  ଏଫ୍‌୍‌ଆଇଆର୍‌ ରୁଜୁ ହୋଇପାରିବ ନାହିଁ କିମ୍ବା ଅଭିଯୋଗକାରୀ ଏହା ବିରୋଧରେ କୋର୍ଟ ମାଧ୍ୟମରେ ମଧ୍ୟ ଏଫ୍‌ଆଇଆର୍‌ ଦାଖଲ କରିପାରିବେ ନାହିଁ। ତେବେ ସରକାରଙ୍କ ଏହି ବିଲ୍‌ର ଭବିଷ୍ୟତ ଏବେ ଅନିଶ୍ଚିତତା   ଭିତରକୁ ଚାଲିଯାଇଛି।

ସମ୍ବନ୍ଧିତ ଖବର