ବିବାଦୀୟ ୨୦୧୭ 

୨୦୧୭ ବର୍ଷଟି ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲା। କିଛି ବିବାଦର ପରିସମାପ୍ତି ଘଟିଥିବା ବେଳେ ଆଉ କିଛି ବିବାଦ ଏବେ ବି ବଳବତ୍ତର ରହିଛି। କେତେକ ପ୍ରମୁଖ ବିବାଦକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା ‘ବିବାଦୀୟ ସତର’।

ପଦ୍ମାବତୀ ବିବାଦ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଐତିହାସିକ ଚଳଚ୍ଚିତ୍ର ‘ପଦ୍ମାବତୀ’ର ରିଲିଜ୍‌କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି। ଚଳଚ୍ଚିତ୍ରରେ ରାଣୀ ପଦ୍ମାବତୀଙ୍କ ଚରିତ୍ର ଚିତ୍ରଣକୁ ରାଜପୁତ ଓ କରଣୀସେନା ବିରୋଧ କରୁଛି। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ଏହା ବିବାଦରେ ରହିଛି । କରଣୀସେନା ରାଜସ୍ଥାନର ଜୟପୁରରେ ଚଳଚ୍ଚିତ୍ରର ସୁଟିଂସେଟକୁ ଭଙ୍ଗାରୁଜା କରିବା ଠୁ ନେଇ ଚିତ୍ତୋରଗଡ଼ ଦୁର୍ଗରେ ଆତ୍ମହତ୍ୟା ଓ ଏହାକୁ ଦେଶବ୍ୟାପୀ ବିରୋଧ କରିଥିଲେ। ବିରୋଧ ଏତେ ତୀବ୍ରରୂପ ଧାରଣ କରିଥିଲା ଯେ, କିଛି ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ ବିବାଦ ନ ତୁଟିବା ଯାଏ ଚଳଚ୍ଚିତ୍ର ରିଲିଜ୍‌ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ।

କୁଳଭୂଷଣ ଯାଦବ ମାମଲା: ଚଳିତବର୍ଷ ଏପ୍ରିଲ ୧୦ ତାରିଖରେ  ପାକିସ୍ତାନ ସାମରିକ କୋର୍ଟରେ ଫାଶୀ ଦଣ୍ଡାଦେଶ ପାଇଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ସପକ୍ଷରେ ଭାରତ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତର ଦ୍ୱାରସ୍ଥ ହୋଇଛି। ଚଳିତମାସ ୨୫ ତାରିଖରେ କୁଳଭୂଷଣଙ୍କୁ ତାଙ୍କ ପତ୍ନୀ ଓ ମା’ ପାକିସ୍ତାନର ସହମତିକ୍ରମେ ଭେଟ ହେବାପରେ  ସେମାନଙ୍କ ଗଳାରୁ ମଙ୍ଗଳସୂତ୍ର ଓ ବିନ୍ଦି ଓହ୍ଲାଇଦେବା ଏବଂ ପତ୍ନୀଙ୍କ ଜୋତା ରଖିଦେବା ମାମଲାକୁ ଅଧିକ ଜଟିଳ କରିଛି।

ଜେରୁଜେଲମ୍‌ ବିବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେରୁଜେଲମ୍‌କୁ ଇସ୍ରାଏଲ ରାଜଧାନୀ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେବାଠାରୁ ଏହା ଅନ୍ତର୍ଜାୀୟସ୍ତରରେ ବଡ଼ ବିବାଦ ସୃଷ୍ଟି କରିଛି। ଟ୍ରମ୍ପଙ୍କ ଏକପାଖିଆ ନିଷ୍ପତ୍ତି ଫଳରେ ଜେରୁଜେଲମ୍‌କୁ ନିଜର ରାଜଧାନୀଭାବେ ଦଖଲ କରିବାକୁ ଚାହୁଥବା ପାଲେଷ୍ଟାଇନ୍‌ ଓ ଇସ୍ରାଏଲ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ବିହାର ମହାମେଣ୍ଟର ପତନ: ଚଳିତବର୍ଷ ବିହାର ରାଜନିତୀରେ ଦେଖାଦେଇଥିବା ବିରାଟ ପରିବର୍ତ୍ତନ  ଦେଶର ରାଜନତିକ ମାହୋଲକୁ ସରଗରମ କରିଦେଇଥିଲା। ବିହାରରେ ମେଣ୍ଟ ସରକାରକୁ ଦୁଇବର୍ଷ ନପୂରୁଣୁ ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର  ଆର୍‌ଜେଡି ଓ କଂଗ୍ରେସର ହାତ ଛାଡି   ବିଜେପି ସହ ହାତ ମିଳାଇ ନାଟକୀୟ ଢଙ୍ଗରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ। ନିତୀଶ ଆରଜେଡି ସୁପ୍ରିମ୍‌ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଳ ଦେଖାଇ ମହାମେଣ୍ଟ ଭାଙ୍ଗିଲେ  ଏବଂ ତାହାକୁ କଂଗ୍ରେସ ଓ ଆରଜେଡି ଗ୍ରହଣ କରିନଥିଲେ।

ତିନି ତଲାକ୍‌: ଚଳିତବର୍ଷର ସବୁଠୁ ଚର୍ଚ୍ଚିତ ଆଇନଗତ ମାମଲା ଥିଲା ତିନି ତଲାକ୍‌। ବର୍ଷ ଆରମ୍ଭରୁ ଫୋନ୍‌, ଇ-ମେଲ, ଏସ୍‌ଏମ୍‌ଏସ୍‌ ଯୋଗେ  ତଲାକ୍‌ ଦେବା ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଏହି ପ୍ରଥାକୁ ବନ୍ଦ କରିବାକୁ ପଦକ୍ଷେପ ନେଇଥିଲେ। ସର୍ବ ଭାରତୀୟ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡ ସମେତ ଅନେକ ମୁସ୍‌ଲିମ୍‌ ସଂଗଠନର  ବିରୋଧ ସତ୍ତ୍ୱେ ଅଗଷ୍ଟ ୨୨ରେ ସୁପ୍ରିମକୋର୍ଟ ତିନି ତଲାକ୍‌ ପ୍ରଥାକୁ ବେଆଇନ୍‌ ବୋଲି ରାୟ ଦେଲେ। ଡିସେମ୍ବର ୨୮ ତାରିଖ ଦିନ କେନ୍ଦ୍ର ସରକାର ତିନି ତଲାକ୍‌କୁ ବେଆଇନ୍‌ ଦର୍ଶାଇ ଏହାର ଉଲ୍ଲଂଘନରେ ଅପରାଧିକ ମାମଲା ରୁଜୁ କରିବା ନେଇ ବିଲ ଲୋକସଭାରେ ପାରିତ  କରିଛନ୍ତି।

ଭଣ୍ଡ ବାବା ରାମ ରହିମ୍‌: ବର୍ଷତମାମ୍‌ ବିଭିନ୍ନ ଭଣ୍ଡ ବାବାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥବା ବେଳେ ହରିୟାଣା ସିରସା ଡେରା ସଚ୍ଚା ସୌଦା ଆଶ୍ରମର ବାବା ରାମ ରହିମଙ୍କ କଳା କାରନାମର ପର୍ଦ୍ଦାଫାସ ହୋଇଥିଲା।  ଅଗଷ୍ଟ ୨୫ ତାରିଖରେ ପଞ୍ଚକୁଳା  ସିବିଆଇ  ସ୍ୱତନ୍ତ୍ର ଅଦାଲତ ରାମରହିମଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ଥ କରିବା ପରେ ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡର ୩ ଲକ୍ଷରୁ ଅଧିକ ଡେରା ସମର୍ଥକ  ଏହାର ହିଂସାତ୍ମକ ବିରୋଧ କଲେ। ଏଥିରେ ପ୍ରାୟ ୩୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଡୋକ୍‌ଲାମ୍‌ରେ ଚୀନ୍‌ର ଦାଦାଗିରି: ସିକିମ୍‌-ଭୁଟାନ୍‌-ଚୀନ୍‌ ସୀମାରେ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ଡୋକ୍‌ଲାମ୍‌ ଅଞ୍ଚଳରେ ଚୀନ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଜୁନ୍‌ ୧୬ ତାରିଖରେ ଜଣାପଡ଼ିଲା। ଚୀନ୍‌ର ଏଭଳି କାର୍ଯ୍ୟକୁ ଭାରତ ବିରୋଧ କରିବାରୁ ଚୀନ୍‌ ଏହି ସୀମାରେ ଅଧିକରୁ ଅଧିକ ସେନା ଆଣି ଠୁଳ କଲା। ଜୁନ୍‌ ୧୮ରେ ଭାରତ ମଧ୍ୟ ସେନା ମୁତୟନ ବଢ଼ାଇଥିଲା। ଉଭୟ ଦେଶର ଏଭଳି ସ୍ଥିତି ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିଲା। ଅଗଷ୍ଟ ୨୮ ତାରିଖରେ ଉଭୟ ଦେଶର  ଆଲୋଚନା ପରେ ଉଭୟପଟରୁ ସୈନ୍ୟ ହଟାଯାଇଥିଲା। କିନ୍ତୁ ଏବେ ପୁଣି ଏହାକୁ ନେଇ ବିବାଦ ବଢ଼ିଛି।

ଗୌରୀ ଲଙ୍କେଶ  ହତ୍ୟାକାଣ୍ଡ: ସେପ୍ଟେମ୍ବର ୫ ତାରିଖରେ ବରିଷ୍ଠ କନ୍ନଡ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ତାଙ୍କ ବାଙ୍ଗାଲୁରୁସ୍ଥିତ ବାସଭବନରେ ଗୁଳି କରି ହତ୍ୟା କରାଯିବା ପରେ ଏହା ଦେଶବ୍ୟାପୀ ଗଣମାଧ୍ୟମର ସୁରକ୍ଷାପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ଗତବର୍ଷ ନଭେମ୍ବରରେ ଗୌରୀଙ୍କ ପତ୍ରିକାରେ ବିଜେପି ବିରୋଧୀ ଲେଖା ଯୋଗୁଁ ତାଙ୍କୁ ମାନହାନି ମୋକଦ୍ଦମାରେ ୬ ମାସର ଜେଲଦଣ୍ଡ ମିଳିଥିଲା। ତେଣୁ ଗୌରୀଙ୍କ ମୃତ୍ୟୁ ପାଇଁ କଂଗ୍ରେସ ସମେତ ତମାମ ବିରୋଧୀ ଦଳ ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ଦାୟୀ କରିଥିଲେ।

ଜୟଲଳିତାଙ୍କ ମୃତ୍ୟୁ: ୨୦୧୬ ଡିସେମ୍ବର ୫ ତାରିଖରେ ତତ୍କାଳୀନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ସୁପ୍ରିମୋ ଜେ.ଜୟଲଳିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହେଲା। ଜୟାଙ୍କ ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ତାଙ୍କ ସମର୍ଥକମାନେ ଅଭିଯୋଗ କରିଥିଲେ। ଜୟାଙ୍କ ମୃତ୍ୟୁପଛରେ ତାଙ୍କ ବାନ୍ଧବୀ ଶଶୀକଳାଙ୍କ ଷଡ଼ଯନ୍ତ୍ର ରହିଥିଲା ବୋଲି ଏଆଇଏଡିଏମ୍‌କେ ନେତା ଦିନ୍ଦିଗୁଲ ଶ୍ରୀନିବାସନ ବିବୃତି ଦେବାପରେ ଶଶୀକଳାଙ୍କ ରାଜନୈତିକ ଉତ୍ତରାଧିକାରୀ ଟିଟିଭି ଦିନାକରନ୍‌ଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଥିଲା। ସେ ଚିକିତ୍ସିତ ହେବା ସମୟରେ ତାଙ୍କଠାରୁ ଦସ୍ତଖତ ନିଆଯିବା ସହ ଆମ୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମିଛ କହିବାକୁ ବାଧ୍ୟ କରାଯାଇଥିଲା ବୋଲି ଶ୍ରୀନିବାସନ କହିବା ପରେ ବିବାଦ ଅଧିକ ତେଜିଥିଲା।

ସମ୍ବନ୍ଧିତ ଖବର