ଦେଖନ୍ତୁ ଭିଡିଓ: ଖରସୁଅରେ ଦୁଇ ସ୍କୁଲ୍‌ ବାଳିକାଙ୍କୁ କାନ୍ଧରେ ବସାଇ ଉଦ୍ଧାର କଲେ ପୁଲିସ

ନୂଆଦଲ୍ଲୀ: ଗୁଜରାଟର ମୋର୍ବି ଜିଲ୍ଲାର ତଙ୍କାରା ସହରରେ ନିଜ ଜୀବନକୁ ବିପନ୍ନ କରି ଜଣେ ପୁଲିସ କର୍ମଚାରୀ କାନ୍ଧରେ ଦୁଇ ଜଣ ବାଳିକାଙ୍କୁ ବସାଇ ଖରସୁଅ ଛୁଟିଥିବା ବନ୍ୟାପାଣିରେ ଚାଲି ଚାଲି ନିରାପଦ ସ୍ଥାନରେ ପହଞ୍ଚାଇଥିବାର ଭିଡିଓ ଭାଇରାଲ୍‌ ହୋଇଛି।

ପାଞ୍ଚଘଣ୍ଟା ଧରି ଅତି ପ୍ରବଳ ବର୍ଷା ହେବାରୁ କଲ୍ୟାଣପୁର ସ୍କୁଲ୍‌ର ପିଲାମାନେ ଅଟକି ରହିଯାଇଥିଲେ। ପାଣି ଘେରିଥିବା ସ୍କୁଲ୍‌ ମଧ୍ୟରେ ୪୩ ଜଣ ପିଲା ରହିଯାଇଥିବାରୁ ଚିନ୍ତିତ ସ୍କୁଲ୍‌ ପ୍ରଶାସନ ପୁଲିସ ସହଯୋଗ ଲୋଡ଼ିଥିଲା। ଏଡାଛଡ଼ା ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ମଧ୍ୟ ସ୍କୁଲ୍‌ କର୍ତ୍ତୃପକ୍ଷ ଖବର ଦେଇଥିଲେ।

କିନ୍ତୁ ସୁଅ ଏତେ ଖର ଥିଲା ଯେ ଡଙ୍ଗାରେ ପିଲାମାନଙ୍କୁ ଉଦ୍ଧାର କରିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରେ ସମ୍ଭବ ନ ଥିଲା। ତେଣୁ ଗୁଜରାଟ ପୁଲିସ ଦାୟିତ୍ୱ ଗ୍ରହଣ କରି ଗୋଟିଏ ପରେ ଗୋଟିଏ ଜଳବନ୍ଦୀ ପିଲାଙ୍କୁ ଉଦ୍ଧାର କରିଥିଲା।

ସହାୟତାକାରୀ ପୁଲିସ ଟିମ୍‌ରେ ସାମିଲ ହୋଇଥିଲେ କନେଷ୍ଟବଳ ପୃଥ୍ଵୀରାଜ ସିଂହ ଜାଦେଜା। ସେ ଦୁଇ ଜଣ ବାଳିକାଙ୍କୁ କାନ୍ଧରେ ବସାଇ ନିରାପଦ ସ୍ଥାନକୁ ନେଇଯାଇଥିଲେ।

କନେଷ୍ଟବଳଙ୍କର ବୀରୋଚିତ ଉଦ୍ୟମକୁ ପ୍ରଶଂସା କରି ଗୁଜରାଟ ପୁଲିସର ଅତିରିକ୍ତ ଡିଜିପି ଶାମ୍‌ଶେର୍‌ ସିଂହ ସେ ଦୃଶ୍ୟର ଫଟୋ ଓ ଭିଡିଓ ଟୁଇଟ୍‌ କରିଛନ୍ତି। ଲେଖିଛନ୍ତି: ଆମ କାନ୍ଧରେ, ଆପଣଙ୍କ ସୁରକ୍ଷା।

କନେଷ୍ଟବଳଙ୍କ ସାହସିକତାକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ମଧ୍ୟ ପ୍ରଶଂସା କରିଛନ୍ତି।

 

 

ସମ୍ବନ୍ଧିତ ଖବର