ଭାରତରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ : ୮ ଦିନରେ ୧ ଲକ୍ଷରୁ ୧ ଲକ୍ଷ ୫୦ ହଜାର, ଦୁଇ ଦିନରେ ସଂକ୍ରମିତଙ୍କ ସଂଖ୍ୟାରେ ୯% ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ଏବେ କରୋନାର ଦ୍ରୁତ ସଂକ୍ରମଣ ପର୍ବ। ଗଲା ଦି’ଦିନରେ ସଂଖ୍ୟା ୯% ବଢିଯାଇଛି। ଆଜି ଦେଶରେ ଏ ସଂଖ୍ୟା ୧ ଲକ୍ଷ ୫୨ ହଜାରରେ ପହଞ୍ଚିଯାଇଛି। ୮ ଦିନ ତଳେ ଥିଲା ଲକ୍ଷେ। ବିଗତ ୧୬ ଦିନ ଭିତରେ ଭାରତରେ କରୋନା ସଂକ୍ରମଣ ଦୁଇ ଗୁଣ ହୋଇଛି।। ଏମିତି ହେଲେ ୬ ଦିନରେ ଆଉ ଲକ୍ଷେ ଟପିଯିବ। ବିଶ୍ବର ସର୍ବାଧିକ ପ୍ରଭାବିତ ୧୦ଟି ରାଷ୍ଟ୍ରରେ ଏବେ ଭାରତ ଥିବା ବେଳେ ସଂକ୍ରମଣ ରୋକିବାକୁ ପ୍ରୟାସ ଚାଲିଛି। ଦୈନିକ କରୋନା ଟେଷ୍ଟିଂ ୧ ଲକ୍ଷ ୨୦ ହଜାର ଥିବା ବେଳେ ଏହାକୁ ୨ ଲକ୍ଷରେ ପହଞ୍ଚାଇବାକୁ ପ୍ରୟାସ ଜାରି ରହିଛି।

ମହାରାଷ୍ଟ୍ରରେ ଆଜି ସୁଦ୍ଧା ୧୮୦୦ ଲୋକଙ୍କ କରୋନାରେ ମୃତ୍ୟୁ, ଦେଶରେ ସର୍ବାଧିକ। ମହାରାଷ୍ଟ୍ର ପରେ ଗୁଜରାଟ (୯୧୫), ମଧ୍ୟପ୍ରଦେଶ (୩୦୫) ଓ ଦିଲ୍ଲୀ(୨୮୮) ରହିଛି। ପଶ୍ଚିମବଂଗରେ ମୃତ୍ୟୁସଂଖ୍ୟା ଏବେ ବଢ଼ିବାରେ ଲାଗିଛି। ଏହି ୫ଟି ରାଜ୍ୟରେ ମୋଟ କରୋନା ମୃତ୍ୟୁର ୮୦ ପ୍ରତିଶତ ରହିଛି। ପଶ୍ଚିମବଂଗରେ କରୋନା ମୃତ୍ୟୁହାର ୭.୧, ଗୁଜରାଟରେ ୬.୨ ଓ ମଧ୍ୟପ୍ରଦେଶରେ କରୋନା ମୃତ୍ୟୁହାର ୪.୩ ରହିଛି। ମହାରାଷ୍ଟ୍ରରେ ଏବେ ୩୬ ହଜାରରୁ ବେଶି ସକ୍ରିୟ ମାମଲା ଥିବା ବେଳେ ତାମିଲନାଡ଼ୁରେ ୮୩୦୦ ସକ୍ରିୟ ମାମଲା ରହିଛି। ଏବେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ପ୍ରାୟ ସବୁ ଅଂଚଳରେ ସଂକ୍ରମଣ ବଢ଼ୁଥିବାରୁ ଅନେକ ରାଜ୍ୟ ଲକ୍‌ଡାଉନ୍‌-୫ ସପକ୍ଷରେ କହୁଛନ୍ତି। କଟକଣା କୋହଳ ହେଲେ ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକର ସ୍ଥିତି ଜଟିଳ ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯିବ।

ସମ୍ବନ୍ଧିତ ଖବର