ଭାରତରେ ଦ୍ୱିତୀୟ କରୋନା ମୃତ୍ୟୁ, ଦିଲ୍ଲୀରେ ଜୀବନ ହାରିଲେ ୬୯ ବର୍ଷୀୟ ମହିଳା

ନୂଆଦିଲ୍ଲୀ: ଭାରତରେ ଆଜି ଦ୍ୱିତୀୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬୯ ବର୍ଷୀୟ ମହିଳା କରୋନା ଯୋଗୁଁ ଜୀବନ ହରାଇଛନ୍ତି। ମହିଳାଙ୍କ ଘର ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ମୃତ ମହିଳାଙ୍କୁ ତାଙ୍କ ପୁଅ ଠାରୁ କରୋନା ଭାଇରସ୍‌ ସଂକ୍ରମଣ ହୋଇଥିବା ସୂଚନା ରହିଛି। ମୃତ ମହିଳାଙ୍କ ପୁଅ ଫେବୃଆରୀ ମାସରେ ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲି ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ତାଙ୍କ ମା’ଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ମହିଳା ଜଣକ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍‌ରେ ପୀଡିତ ଥିଲେ। କରୋନା ଲାଗି ହୋଇଥିବା ରକ୍ତ ପରୀକ୍ଷା ପଜେଟିଭ୍‌ ବୋଲି ଜଣାପଡିବା ପରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ପୂର୍ବରୁ ଗତକାଲି ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକର କଲ୍‌ବର୍ଗୀ ଅଞ୍ଚଳର ୭୬ ବର୍ଷିଅ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ସେ ସାଉଦୀ ଆରବରୁ ଫେରିଥିଲେ। ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା ବୋଲି କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

କରୋନାଭାଇରସ୍‌ ବିଶ୍ୱର ୧୦୦ରୁ ଊର୍ଧ୍ୱ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଆଉ ୫ଜଣ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟର ତଥ୍ୟ ଅନୁସାରେ ୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ଜଣ ଭାରତୀୟ ଥିବା ବେଳେ ୧୬ଜଣ ଇଟାଲୀୟ ଏବଂ ଜଣେ କାନାଡା ନାଗରିକ ଅଛନ୍ତି।

ଗତ ୨୪ଘଣ୍ଟା ଭିତରେ ବିଶ୍ୱରେ କରୋନାଭାଇରସ୍‌ରେ ୨୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏଯାବତ ବିଶ୍ୱରେ ୧,୩୪,୬୭୯ଜଣ ମାରାତ୍ମକ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ବେଳେ ୫୦୦୦ଲୋକଙ୍କର ଏହି ଭୂତାଣୁ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଉଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ)ର କହିବାନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ବିଶ୍ୱରେ କରୋନାଭାଇରସ୍‌ରେ ୩୧୨ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର