ଦେଶରେ ୧୬୩୭ କରୋନା ଆକ୍ରାନ୍ତ, ୩୮ ମୃତ

୨୪ ଘଣ୍ଟାରେ ୩୮୬ ନୂଆ ମାମଲା, ଦିଲ୍ଲୀରେ ୩ ଜଣ ଡାକ୍ତର ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ପ୍ରକୋପ ବଢ଼ି ଚାଲିଥିବା ବେଳେ ୨୪ ଘଣ୍ଟାରେ ୩୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ଏକ ମସ୍‌ଜିଦରେ ଅନୁଷ୍ଠିତ ଧାର୍ମିକ ସମ୍ମିଳନୀ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟାରେ ଏଭଳି ବୃଦ୍ଧି ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୭ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଏ ପର୍ଯ୍ୟନ୍ତ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ଏବେ ୧୪୬୬ଟି ସକ୍ରିୟ ମାମଲା ରହିଥିବା ବେଳେ ୧୩୩ ଜଣ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟରେ ୬ ଜଣ, ପଂଜାବରେ ୩ ଜଣ, ମଧ୍ୟ ପ୍ରଦେଶରେ ୩ ଜଣ, ଦିଲ୍ଲୀ, ପଶ୍ଚିମବଂଗ, ଜମ୍ମୁ କାଶ୍ମୀରରେ ୨ ଜଣ ଲେଖାଏଁ କରୋନା ଭାଇରସ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କେରଳ, ତେଲେଙ୍ଗାନା, ତାମିଲନାଡ଼ୁ, ବିହାର ଏବଂ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମଧ୍ୟପ୍ରଦେଶରେ ଏ ପର୍ଯ୍ୟନ୍ତ ୪୭ ମାମଲା ସାମ୍ନାକୁ ଆସିଥିବା ବେଳେ ପଂଜାବରେ ୪୧, ହରିୟାଣାରେ ୪୦, ଆନ୍ଧ୍ର ପ୍ରଦେଶରେ ୪୦ ମାମଲା ଚିହ୍ନଟ ହୋଇଛି । ପଶ୍ଚିମବଂଗରେ କରୋନା ଭାଇରସ୍‌ ଯୋଗୁଁ ୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବିହାରରେ ୧୫, ଲଦାଖ୍‌ରେ ୧୩, ଚଣ୍ଡିଗଡ଼ରେ ୧୩ ଏବଂ ଆଣ୍ଡାମାନରେ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଛତିଶଗଡ଼ରେ ୮ ଜଣ ଏବଂ ଉତ୍ତରାଖଣ୍ଡରେ ୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

ମହାରାଷ୍ଟ୍ରରେ ମୋଟ କରୋନା ପଜିଟିଭ୍‌ ମାମଲା ୩୨୦ରେ ପହଞ୍ଚିଥିବାରୁ ସେଠାରେ ଯାଞ୍ଚ ବ୍ୟବସ୍ଥା ବ୍ୟାପକ କରାଯାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଜଣେ ୬୫ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ବେଳେ ଉତ୍ତରପ୍ରଦେଶରେ ଜଣେ ୨୫ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ଅତି ଦ୍ରୁତ ଗତିରେ ବ୍ୟାପୁଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କାର୍ଯ୍ୟରତ ୨ ଜଣ ଡାକ୍ତର ଏବଂ ଆଉ ଏକ ସରକାରୀ ହସ୍ପିଟାଲର ଜଣେ ମହିଳା

ଡାକ୍ତର କରୋନା ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ଅନେକ ଡାକ୍ତର କ୍ବାରାଣ୍ଟିନ୍‌କୁ ପଳାଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ରେ ପହଞ୍ଚିଛି। କର୍ଣ୍ଣାଟକରେ ୮୩ ଏବଂ ତେଲେଙ୍ଗାନାରେ ୭୯ ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନ ଏବଂ ତାମିଲନାଡ଼ୁରେ ୧୯ଟି ଲେଖାଏଁମାମଲାଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର